ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଆଧାରରେ ଯେଉଁମାନେ କରୋନାରେ ସାମାନ୍ୟ ସଂକ୍ରମିତ ହୋଇଥିବେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ ପରୀକ୍ଷା କରିବାର ଆବଶ୍ୟକତା ପଡି ନ ପାରେ। ଯଦି ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନି ଓ ରୋଗୀ ସୁସ୍ଥ ଅନୁଭବ କରୁଛନ୍ତି ତେବେ ତାଙ୍କୁ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ପାରିବ। ଡିସଚାର୍ଜ ହେବା ପରେ ଏବେ ରୋଗୀଙ୍କୁ ୧୪ ଦିନ ପରିବର୍ତ୍ତେ ୭ ଦିନ ଆଇସୋଲେଶନରେ ରହିବାକୁ ପଡିବ। ୧୪ ଦିନରେ ଟେଲି କନଫରେନ୍ସିଂ ଜରିଆରେ ରୋଗୀର ଫଲୋ ଅପ୍ କରାଯିବ। ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରଖାଯିବା ସହ ସେମାନଙ୍କର ଚିକିତ୍ସା କରାଯିବ। ୩ ଦିନ ମଧ୍ୟରେ ଜ୍ୱର କମିଗଲେ ତାଙ୍କୁ ୧୦ ଦିନ ପରେ ଡିସଚାର୍ଜ କରିଦିଆଯାଇ ପାରିବ। ଏହାପରେ ୭ ଦିନ ସେ ହୋମ ଆଇସୋଲେଶନରେ ରହିବେ। ସେହିପରି ଯେଉଁମାନଙ୍କଠାରେ କରୋନାର ଅଧିକ ଲକ୍ଷଣ ଦେଖାଯାଉଥିବ ସେମାନଙ୍କୁ ସିଧା କୋଭିଡ ହସ୍ପିଟାଲରେ ଅକ୍ସିଜେନ ବେଡ୍ରେ ରଖାଯିବ। ୩ ଦିନ ପରେ ଯଦି ଜ୍ୱର କମିଯିବ କିନ୍ତୁ ଅକ୍ସିଜେନ ସାଚ୍ୟୁରେଶନ ଲେବଲ ୯୫ ପ୍ରତିଶତରୁ ଅଧିକ ଥିବ ତେବେ ରୋଗୀଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରାଯାଇପାରେ। ଯଦି ରୋଗୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବ ଅବା ଜ୍ୱର ଲାଗି ରହୁଥିବ ତେବେ ତାଙ୍କ ଚିକିତ୍ସା ଜାରି ରହିବ ବୋଲି ଉଲ୍ଲେଖ କରାଯାଇଛି ।