କାଠମାଣ୍ଡୁ୧୩।୩: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଏଭରେଷ୍ଟ ପର୍ବତାରୋହଣ ଅଭିଯାନ ଉପରେ ଶୁକ୍ରବାର କଟକଣା ଲଗାଯାଇଛି। ଚାଇନା ପକ୍ଷରୁ ଏଭରେଷ୍ଟ ଚଢ଼ାଯିବାକୁ ବନ୍ଦ କରାଯିବାର ଗୋଟିଏ ଦିନ ପରେ ନେପାଳ ସରକାର ମଧ୍ୟ ଏହି ଅଭିଯାନକୁ ବନ୍ଦ କରିଦେଇଛନ୍ତି। ନେପାଳର ପର୍ଯ୍ୟଟନ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଦେଶରେ ସମସ୍ତ ପର୍ବତାରୋହଣ ଅଭିଯାନକୁ ସ୍ଥଗିତ ରଖାଯିବା ସହ ପର୍ଯ୍ୟଟକଙ୍କ ଭିଜା ପ୍ରକ୍ରିୟା ଉପରେ ମଧ୍ୟ ରୋକୋ ଲଗାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, କରୋନା ଭାଇରସ୍ରେ ଏଯାଏଁ ନେପାଳରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି। ତେବେ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଏଭଳି କଟକଣା ଜାରି କରାଯାଇଥିବା ସୂଚନା ମିଳିଛି।