ନୂଆପଡା ଅଫିସ,୧୨ା୪- ଚାରିଆଡେ କରୋନା ଆତଙ୍କିତ କରି ରଖିଛି। ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛନ୍ତି ଲୋକେ। ଏଥିପାଇଁ ସରକାର ଲକଡାଉନ ଭଲି କଡା ପଦକ୍ଷେପ ମଧ୍ୟ ନେବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଏହି ସମୟରେ ନୂଆପଡା ଜିଲାରେ ଥିବା କୁମ୍ଭକାର ସମ୍ପ୍ରଦାୟର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିଗୋଚର ହେଉଛି। ବର୍ଷ ସାରା ମାଟିପାତ୍ରର ଚାହିଦା ରହିଥିବା ବେଳେ ଗ୍ରୀଷ୍ମ ଚାରିମାସ କୁମ୍ଭକାର ବେଶ ଦ୍ୱିପଇସା ରୋଜଗାର କରିଥାନ୍ତି। ହେଲେ ଏହି ସମୟରେ ଜାରି ହୋଇଛି ଲକଡାଉନ। କଞ୍ଚାମାଲ ପାଇଁ ଘରୁ ବାହାରି ପାରୁ ନାହାନ୍ତି କିମ୍ବା ବିକ୍ରି କରିବାକୁ ବଜାର ନାହିଁ। ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ସେମାନେ କାଳାତିପାତ କରୁଛନ୍ତି। ଜିଲା ସଦର ମହକୁମାଠାରୁ ୧୦କିମି ଦୂର ସମରସିଂ ପଞ୍ଚାୟତର ସଦର ଗାଁର ପୁରୁଷାନୁକ୍ରମେ ମାଟିପାତ୍ର ନିର୍ମାଣ କରିଆସୁଥିବା ରାଜୀନ ରଣାଙ୍କ କହିବାନୁସାରେ ପରିବାରର ସମସ୍ତ ସଦସ୍ୟ ମାଟିପାତ୍ର ନିର୍ମାଣ କାମରେ ନିୟୋଜିତ ହୋଇଥାଉ। ଆର୍ଥିକ ଅନଟନରେ ମଧ୍ୟ କେବେ ଦାଦନ ଖଟିଯାଇ ନାହୁଁ। ହେଲେ ଏଥର କରୋନା ପରିବାର ପାଇଁ ଦୁଃଖ ଆଣିଦେଇଛି। ମାସେ ହେବ କାମ ବନ୍ଦ। ଘରୁ ବାହାରିଲେ କରୋନା ଭୟ, ନ ବାହାରିଲେ ଭୋକରେ ଜୀବନ ଯାଉଛି ବୋଲି କହିଥିଲେ। ଏହି ପରିସ୍ଥିତିରେ ସରକାର କୁମ୍ଭକାରମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।