ଅକ୍ଷୟ କୁମାର
ଭାରତ ସମେତ ସାରା ଦୁନିଆ କରୋନା ଭୂତାଣୁଜନିତ ବିଶ୍ୱ ମହାମାରୀର ପ୍ରତିକାର କରିବା ପାଇଁ ଯୁଦ୍ଧ ଅବ୍ୟାହତ ରଖିଛି। ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୩ ହଜାରରୁ ଅଧିକ ଲୋକଙ୍କ ମତ୍ୟୁ ଘଟି ସାରିଲାଣି। ଏହି ସଂକ୍ରମିତଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୪,୬୮, ୮୯୫ ଜଣ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ସ୍ପେନରେ ୧,୫୦,୨୨୨, ଇଟାଲିରେ ୧,୪୩,୬୨୬, ଜର୍ମାନୀରେ ୧,୧୮,୨୩୫, ଫ୍ରାନ୍ସରେ ୧,୧୭,୭୪୯, ଚାଇନାରେ ୮୮ ହଜାର ଏବଂ ଭାରତରେ ୯,୦୦୦ ସଂକ୍ରମିତ ହୋଇଥିବା ବେଳେ ୩୨୪ ଜଣଙ୍କ ପ୍ରାଣହାନି ଘଟିଲାଣି। ସେହିପରି ଓଡ଼ିଶାରେ ୫୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ଜଣେ ପୂର୍ବରୁ ରକ୍ତଚାପରେ ପୀଡିତ ଥିବା ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମତ୍ୟୁ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରତିକାର ଭାବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲକ୍ଡାଉନ ବା ଶଟ୍ଡାଉନ ଭଳି କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ରୋଗୀମାନଙ୍କର ପରୀକ୍ଷଣ (କିଟ୍ ଟେଷ୍ଟ) କରିବା ଇତ୍ୟାଦି ପଦକ୍ଷେପ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ।
କରୋନା ଭାଇରସର ଭୟାବହତା ସହିତ ସରକାରଙ୍କର ଲକ୍ଡାଉନଠାରୁ ଆରମ୍ଭ କରି ପରୀକ୍ଷଣ କାର୍ଯ୍ୟକ୍ରମଗୁଡ଼ିକର ନିରପେକ୍ଷ ମୂଲ୍ୟାୟନ କରାଯାଇ ଆଗାମୀ ପଦକ୍ଷେପ ନିଆ ନ ଗଲେ ରାଷ୍ଟ୍ର ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ। ଏହି ଭାଇରସ୍ର ଉପତ୍ତ୍ତି ସ୍ଥଳ ଚାଇନାର ଉହାନ। କୋଭିଡ-୧୯ର ପ୍ରଥମ ରୋଗୀ ଚାଇନାର ହୁବେଇ ରାଜ୍ୟରେ ୨୦୧୯ରେ ନଭେମ୍ବର ୧୭ରେ ଚିହ୍ନଟ ହୋଇଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନାରେ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କାର୍ଯ୍ୟାଳୟକୁ ନିମୋନିଆରେ ଅଜଣା କାରଣ ପାଇଁ ପୀଡିତ ଥିବା ଉହାନର ଜଣେ ରୋଗୀଙ୍କ ବିଷୟରେ ସୂଚନା ଦିଆଗଲା। ଡବ୍ଲ୍ୟୁଏଚ୍ଓ ୧ ମାସ ପରୀକ୍ଷା ନିରୀକ୍ଷା କଲା ପରେ ଚଳିତ ବର୍ଷ ଜାନୁୟାରୀ ୩୦ରେ ଏହାକୁ ବିଶ୍ୱ ମହାମାରୀ ଘୋଷଣା କଲା। ଏଥିସହିତ ଅନ୍ତର୍ଜାତୀୟ ସ୍ତରରେ ସର୍ବସାଧାରଣରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କଲା। ଜାନୁୟାରୀ ୩୦ରେ ଭାରତର କେରଳରେ ପ୍ରଥମ ରୋଗୀ ଚିହ୍ନଟ ହେଲେ। କନ୍ତୁ ଦୁର୍ଭାଗ୍ୟ ବିଷୟ ଯେ, ପ୍ରଥମ ରୋଗୀ ଚିହ୍ନଟ ହେବା ଏବଂ ଡବ୍ଲ୍ୟୁଏଚଓ ସେହିଦିନ ଏହାକୁ ବିଶ୍ୱ ମହାମାରୀ ସହିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିବା ସତ୍ତ୍ୱେ ଆମ ପ୍ରଧାନମନ୍ତ୍ରୀ ଏହାକୁ ମାର୍ଚ୍ଚ ୨୨ ତାରିଖ ଯାଏ ଗମ୍ଭୀର ଭାବେ ନେଇ ନ ଥିଲେ । କାରଣ ସେତେବେଳେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଯାହା ୨୦୧୯ ଡିସେମ୍ବର ୧୧ ପାର୍ଲାମେଣ୍ଟରେ ପାରିତ କରାଯାଇଥିଲା। ୨୦୨୦ ଜାନୁୟାରୀ ୧୦ରେ ଏହାକୁ ଗୃହୀତ କରାଯାଇଥିଲା।
ବହୁ ଆଗରୁ ମହାମାରୀ ବ୍ୟାପୁଥିବା ଜାଣି ମଧ୍ୟ ଆମ ଦେଶର ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଡାକି ତାଙ୍କ ସ୍ବାଗତ ନିମନ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ। ୧୩୦ କୋଟି ଲୋକଙ୍କର ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ନାମରେ ଅଧିନାୟକତ୍ୱ କର୍ଫ୍ୟୁ ଏବଂ ମାର୍ଚ୍ଚ ୨୪ ତାରିଖରୁ ସାରାଦେଶରେ ୨୧ ଦିନ ପାଇଁ ଲକ୍ଡାଉନ ଘୋଷଣା କଲେ। ସେ ଟିକିଏ ବି ଚିନ୍ତା କଲେ ନାହିଁ ଯେ, ଦେଶର ସବୁ ରାଜ୍ୟର ମଖ୍ୟମନ୍ତ୍ରୀଙ୍କ ସହ ୩୦ ମିନିଟ କଥା ହେବା ପାଇଁ କିମ୍ବା ୧୩୦ କୋଟି ଲୋକଙ୍କୁ ୧୩୦ ଘଣ୍ଟା ସମୟ ଦେବା ପାଇଁ । ତାଙ୍କ ଘୋଷଣାରୁ ଜଣାପଡିଲା ଯେ ତେଜେରାତି ଦୋକାନ ମାଲିକ ଯେତେବେଳେ ଚାହିଁବ ସେତେବେଳେ ଖୋଲିବ ଓ ବନ୍ଦ କରି ଦେବ। ତାଙ୍କୁ ପ୍ରଶ୍ନ କରିବାର ଅଧିକାର କାହାର ନାହିଁ। ପ୍ରଧାନମନ୍ତ୍ରୀଙ୍କର ଏଭଳି ଆଚରଣ ହିଟଲରର ସାହିବା ଅଧିନାୟିକତ୍ୱ ବାଦ ନୁହେଁ ତ ଆଉ କ’ଣ। ପ୍ରଧାନମନ୍ତ୍ରୀଙ୍କ ଭଳି ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଜନ ସମର୍ଥନ ପାଇ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତିି। ସେ ବି ଜନତାଙ୍କୁ ଭାବିବାକୁ ସମୟ ଦେବେ କାହିଁିକି।
ପ୍ରଧାନମନ୍ତ୍ରୀଙ୍କ ଲକ୍ଡାଉନ ଘୋଷଣା ପରେ ବିଶ୍ୱରେ କରୋନା ମହାମାରୀର ଭୟାବହତାର ଚିତ୍ରକୁ ଗଣମାଧ୍ୟମ ରୂପୀ ପ୍ରଚାରତନ୍ତ୍ର ମାଧ୍ୟମରେ ସାଧାରଣ ଜନତା ଦେଖିବା ପରେ ତା’ର ଅଜଣା ମନରେ ଅପପ୍ରଚାରର ବିଭୀଷିକା ଏପରି ବ୍ୟାପି ଗଲା ଯେ ଲ୍କଡାଉନର ପ୍ରଥମ ଦିନରୁ ରାଜ୍ୟ ବାହାରେ ରହୁଥିବା ଦାଦନ ଶ୍ରମିକମାନେ ଧରିନେଲେ ଯେ କଳକାରଖାନା , ଦୋକାନ ବଜାର ୩ରୁ ୫ ମାସ ଯାଏ ବନ୍ଦ ହୋଇଯିବ। କାମ ଧନ୍ଦା କିଛି ମିଳିବ ନାହିଁ। ସେଥିପାଇଁ ଅନ୍ୟ ରାଜ୍ୟର ଭିନ୍ନଭିନ୍ନ ସହରରେ ଥିବା ଶ୍ରମିକମାନେ ପାଦରେ ଚାଲି ଗାଁକୁ ଯିବାକୁ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଲେ। ଗଣ ପଳାୟନର ଏ ଭୟାନକ ଦୃଶ୍ୟ ଯେତିକି ହୃଦୟବିଦାରକ ତାହା ସେହି ରାସ୍ତାରେ ଛିଡ଼ା ହୋଇଥିବା ଲୋକ ହିଁ ଜାଣି ପାରିବ। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭକରି ରାଜନେତା ପ୍ରଶାସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଏକ ସାଧାରଣ ଘଟଣା।
ଲକ୍ଡାଉନ ପରେ ଗରିବ ଶ୍ରମିକ ଓ ଚାଷୀଙ୍କ କଥା ସରକାର ଭୁଲିଗଲେ। ଯଦି ଚାଷୀ ତା ଉପତ୍ଦିତ ଶସ୍ୟ ମଣ୍ଡି ଓ ବଜାରକୁ ନ ଆଣି ନ ବିକିବ ତେବେ ସେ ତା’ର ସଂସାର ଚଳାଇବ କିପରି। ସେ କଥା ଚିନ୍ତା କରାଗଲା ନାହିଁ। ଲକ୍ଡାଉନର ୫ ଦିନ ପରେ ସରକାର ଘୋଷଣା କଲେ ଚାଷ କ୍ଷେତ୍ର ମୁକ୍ତ ରହିବ। କିନ୍ତୁ କେବଳ ଚାଷ କାମ କରିବା ପାଇଁ ଅନୁମତି ମିଳିବ। ଯଦି ପରିବା ଆଣି ଚାଷୀ ବଜାରକୁ ଆସିବ ବିନା ଗାଡି ମୋଟରରେ ସେ ଶୀଘ୍ର ପଳାଇଯିବ। ବିନା ଗାଡିରେ ଚାଲି ଚାଲି ଯାଇଥିବା ଚାଷୀ ପ୍ରକୃତ ମୂଲ୍ୟ ନ ପାଇ ଅଦରଦରରେ ନିଜ ପାରିଶ୍ରମିକକୁ ବିକ୍ରି କରିବାକୁ ବାଧ୍ୟ ହେବ। ହଜାର ହଜାର ଟନ୍ ପରିବା ଜମିରେ ଖତ ହୋଇ ଗଲାଣି। ସେ ଆଣିଥିବା ଋଣ ଶୁଝିବ କିପରି। ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଥିବା ଚାଉଳ ଓ ଡାଲି ସେମାନଙ୍କ ନିକଟରେ ପହଞ୍ଚି ନାହିଁ। ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ୧୦ ହଜାର ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୫ ହଜାର ଟଙ୍କା ଚାଷୀ ପାଇଁ ପାଣିର ଗାର ହୋଇଯାଇଛି। ଏବେ କରୋନା ମାଡ଼ ‘ବୋଝ ଉପରେ ନଳିତ ବିଡ଼ା’ ପରି ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଲାଣି।
ଏହି କରୋନା ମହାମାରୀ ସହିତ ଦିଲ୍ଲୀ ନିଜାମୁଦ୍ଦିନ ମରକଜ୍ ଧର୍ମ ସଭାର ଘଟଣା ପରେ ସାଧାରଣ ମୁସଲିମ ବ୍ୟକ୍ତିକୁ ତଳସ୍ତରରେ ରୋଷର ଶିକାର ହେବାକୁ ପଡିଲାଣି। ରାଜନୈତିକ ବ୍ୟକ୍ତିମାନଙ୍କ ଖେଳର ପର୍ଦ୍ଦାଫାଶ ହୋଇ ପାରୁ ନାହିଁ। ଏ ଜଟିଳ ପରିସ୍ଥିତିରେ ସଜାଗ ନ ହେଲେ କରୋନାରେ ବଳି ପଡିବା ପୂର୍ବରୁ ଲକ୍ଷ ଲକ୍ଷ ନିରୀହ ଜନତା ବଳି ପଡିଯିବେ।
ବିଦେଶରୁ ଫେରିଥିବା ଲୋକମାନଙ୍କୁ ସାମାନ୍ୟ ଜ୍ୱର ପରୀକ୍ଷା କରି ସେଲଫ କ୍ୱାରାଣ୍ଟାଇନରେ ରଖିବାକୁ ଛାଡ଼ି ଦିଆଗଲା। କରୋନା ଭୂତାଣୁର ଲକ୍ଷଣ ଦେଖା ନ ଯାଉଥିଲେ ମଧ୍ୟ ରୋଗୀ ଦେହରେ ଭୂତାଣୁ ରହିଥାଏ। ସେହି ବିଦେଶାଗତ ବ୍ୟକ୍ତିମାନେ ହିଁ ସଂକ୍ରମଣର ବାହକ ହେବାକୁ ଯାଉଛନ୍ତି। ଯଦି ସେମାନଙ୍କୁ ଆସିବା ଦିନଠାରୁ ସରକାର ନିଜ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନରେ ରଖି ପରୀକ୍ଷଣ କରିଥାନ୍ତେ ତେବେ ବିନା ଲକଡାଉନରେ ସଂକ୍ରମଣକୁ ରୋକାଯାଇ ପାରି ଥାଆନ୍ତା। କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଆଳରେ ପୋଲିସ ବାଡେଇବା ଅଥବା ଗାଡି ଉଠାଇ ନେବା ଘଟଣା ଜରୁରିକାଳୀନ ପରିସ୍ଥିତିକୁ ବଳି ଯାଇଛି। ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ପ୍ରଶାସନକୁ ସାମାନ୍ୟ ଝଟକା ଲାଗିଛି। କରୋନା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ଅଧିକାଂଶ ବାଟମାରଣା ହେଉଛି। ସେଲଫ କ୍ୱାରାଣ୍ଟାଇନ ନାମରେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫ ଲକ୍ଷ ଟଙ୍କାରୁ ୫୦ ହଜାର ଖର୍ଚ୍ଚ କରି ଅବଶିଷ୍ଟ ଅର୍ଥ ଆତ୍ମସାତ କରିବା ଏକ ସାଧାରଣ କଥା ହୋଇଛି। କରୋନା ହସ୍ପିଟାଲ ନାମରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଗୋଟିଏ ଟଙ୍କା ନ ଦେଇ ୪ଟି ଘରୋଇ ହସ୍ପିଟାଲକୁ ପୂର୍ବ ଭିତ୍ତିଭୂମିକୁ ଦେଖାଇ ୭୩୦ କୋଟି ଟଙ୍କା ଦେଇ ଦେବା କେତେଦୂର ଯୁକ୍ତିଯୁକ୍ତ। ଏହିଭଳି ୧୫୦୦ କୋଟି ଟଙ୍କାର କରମୁକ୍ତ ହୋଇ ଟାଟା କମ୍ପାନୀ ଭେଣ୍ଟିଲେଟର ତିଆରି କରି ବିକିବ। ନିଜେ ଭରିବା ଟିକସରୁ ଛାଡ ପାଇବ।
କରୋନା ବିରୋଧରେ ଲଢିବା ପାଇଁ ଉପରୋକ୍ତ ବିସଙ୍ଗତିଗୁଡିକର ସମାଧାନ କରିବାକୁ ପଡିବ। ପ୍ରଥମେ ବିଦେଶରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ସରକାରୀ କ୍ୱାରାଣ୍ଟାଇନରେ ରଖି ପରୀକ୍ଷା କରାଯାଉ। ଚିହ୍ନଟ ରୋଗୀଙ୍କର ଚିକିତ୍ସା କରାଯାଉ। ସୀମାରେ ଅଟକି ଥିବା ଦାଦନ ଶ୍ରମିକମାନଙ୍କର ପ୍ରାଥମିକ ସ୍ତରରେ ସେହିଠାରେ ପରୀକ୍ଷା କରାଯାଉ। ଦକ୍ଷିଣ କୋରିଆ ଭଳି ଦେଶରେ ବିନା ଲକଡାଉନରେ ବ୍ୟାପକ ପରୀକ୍ଷଣ କରି ଯେପରି ରୋଗକୁ ନିୟନ୍ତ୍ରଣ କରାଗଲା ଆମ ଦେଶର ରାଜସ୍ଥାନର ଭିଲୱାଡାରେ ଅନୁରୂପ ବ୍ୟବସ୍ଥା କରାଯିବା ଏକ ଉଦାହରଣ। ସେହିପରି ସବୁଠି ବ୍ୟାପକ ପରୀକ୍ଷଣ କରାଯିବା ଉଚିତ। କରୋନା ପାଇଁ ସୃଷ୍ଟି କରାଯାଉଥିବା ସାମ୍ପ୍ରଦାୟିକ ବିଦ୍ୱେଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ଦରକାର। କରୋନା ବିରୋଧରେ ଲଢିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କର ସହଯୋଗ ନିଆଯିବା ଆବଶ୍ୟକ।
(ଏହା ହେଉଛି ଲେଖକଙ୍କ ନିଜସ୍ବ ମତ)
ନବନିର୍ମାଣ କୃଷକ ସଂଗଠନର ଆବାହକ
ମୋ: ୯୯୩୭୪୨୭୬୧୧