କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହି କାରଣରୁ ଅଧିକାଂଶ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବେରୋଜଗାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଚାକିରି ହରାଉଥିବା ଅଧିକାଂଶ ଲୋକେ ପେଟ ପୋଷିବା ପାଇଁ ଅନ୍ୟ ଉପାୟ ଆପଣାଉଛନ୍ତି।
ଏହିପରି ଥାଇଲାଣ୍ଡର ଜଣେ ପାଇଲଟ ଚାକିରି ହରାଇ ଡେଲିଭରି ବୟ ସାଜି ଘର ଘର ବୁଲି ଜିନିଷ ପହଞ୍ଚାଉଛନ୍ତି। ୪୨ ବର୍ଷିୟ କୋ-ପାଇଲଟ ନକରିନ ଇନ୍ତା ଗତ ୪ ବର୍ଷ ହେବ କମର୍ଶିଆଲ ପାଇଲଟ ଭାବେ କାମ କରୁଥିଲେ। ମାତ୍ର କରୋନା ସଂକଟ ତାଙ୍କୁ ପାଇଲଟରୁ ଡେଲିଭରି ବୟ ବନାଇଦେଇଛି। ତାଙ୍କ କହିବାନୁଯାୟୀ, ଏୟାରଲାଇନ୍ସ ତାର ଅଧିକାଂଶ କର୍ମଚାରୀଙ୍କୁ ବିନା ଦରମାରେ ଛଟେଇ କରି ଘରକୁ ପଠାଇଦେଇଛି। ବାକି ଯେତିକି କର୍ମଚାରି ଅଛନ୍ତି, ସେମାନଙ୍କୁ ଯେତିକି ଦରମା ମିଳୁଛି ତାହା ନ ମିଳିବା ସହ ସମାନ। ଆଉ କେତେଜଣଙ୍କୁ ଚାକିରିରୁ ବାହାର ମଧ୍ୟ କରି ଦିଆଯାଇଛି। ଜଣେ ପାଇଲଟ ଭାବେ ସେ ମାସକୁ ୪ରୁ ୬ ଲକ୍ଷ ଟଙ୍କା ଆୟ କରୁଥିଲେ। ଏବେ ୨ ହଜାର ଟଙ୍କା ଆୟ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଥିବା ସେ କହିଛନ୍ତି।