ବଡବିଲ, ୨୯।୩ (ସ୍ବ.ପ୍ର.)-ଦେଶବ୍ୟାପୀ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନାକୁ ପ୍ରତିହତ କରିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଥିଲାବେଳେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଭୁଲ ତଥ୍ୟ ଯୋଗୁ ଜନସାଧାରଣ ଆତଙ୍କିତ ହେଉଥିବାରୁ କରୋନା ସମ୍ପର୍କିତ ତଥ୍ୟହୀନ କୌଣସି ଫଟୋ ଏବଂ ଭିଡିଓ ଭାଇରାଲ ନ କରିବାକୁ ସରକାର ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କେନ୍ଦୁଝର ଜିଲା ବଡବିଲରେ ଶନିବାର କରୋନା ସମ୍ପର୍କିତ ଭିଡିଓ ଭାଇରାଲ ହୋଇ ଗୁଜବ ସୃଷ୍ଟି ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲାବେଳେ ରବିବାର ଅଭିଯୁକ୍ତ ସେଖ ଅବଦୁଲ ରହିମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଘର ବଡବିଲ ଆଜାଦ ବସ୍ତି ଅଞ୍ଚଳରେ।