ରାଇକିଆ,୨୮।୩(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ସବୁଠି ଲାଗିଛି କଟକଣା। ୨୧ ଦିନ ପାଇଁ ଲକ୍ଡାଉନ ଘୋଷଣା ପରେ ଜରୁରୀ ଖାଦ୍ୟ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଶନ ଦୋକାନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିସବୁ ଦୋକାନ ନିୟମିତ ନିର୍ଦ୍ଧିଷ୍ଟ ସମୟରେ ଖୋଲା ଯାଉଥିଲେ ମଧ୍ୟ କିଛି ଲୋକ ଆଗକୁ ଖାଦ୍ୟ ସାମଗ୍ରୀ ଅଭାବ ଆଶଙ୍କା କରି ଆବଶ୍ୟକଠାରୁ ଅଧିକା ସାମଗ୍ରୀ କିଣି ଗଚ୍ଛିତ ରଖିବାକୁ ପ୍ରୟାସ କରୁଛନ୍ତି। ଫଳରେ କଳାବଜାର ଆଶଙ୍କା ଦେଖା ଦେଇଛି। ଦରଦାମ ଅହେତୁକ ବୃଦ୍ଧି ସମ୍ଭାବନାକୁ ଦୃଷ୍ଟିରେ ରଖି ରାଇକିଆ ପୋଲିସ ତରଫରୁ ବିଭିନ୍ନ ଦୋକାନରେ ଦରଦାମ ତାଲିକା ଲଗାଇବାକୁ କୁହାଯାଇଛି। ଏ ନେଇ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି, ଆମେ ପ୍ରତ୍ୟେକ ଦୋକାନରେ ଦରଦାମ ତାଲିକା ଲଗାଇବା ସହ ଲୋକେ ଯେପରି ଅନାବଶ୍ୟକ ଭିଡ଼ ନ କରି ସୁବିଧାରେ ସାମଗ୍ରୀ କିଣି ପାରିବେ ସେ ନେଇ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛୁ।