ଭୁବନ, ୧୮।୭ – ଯୋଜନାହୀନ ଭାବେ ଜଙ୍ଗଲିଆ ପରିବେଶରେ ନିର୍ମାଣ କରି ଦିଆଗଲା ଛାତ୍ରାବାସ। ହେଲେ ଜନବସତିଠାରୁ ଦୂରରେ ତିଆରି ହୋଇଥିବା ହଷ୍ଟେଲ କ୍ୟାମ୍ପସରେ ପିଲାମାନେ ନିଜକୁ ସୁରକ୍ଷିତ ମଣିବେ ତ, ଏହି ପ୍ରଶ୍ନ କାହା ମୁଣ୍ଡକୁ ଜୁଟିଲାନି। ଏବେ ନିଃଶୁଳ୍କରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦିଆଗଲେ ବି କେହି ରାଜି ହେଉନାହାନ୍ତି। ଦୂରଦୃଷ୍ଟି ଅଭାବରୁ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବାଜି ରାଉତ ସ୍ମୃତି କଲେଜ ଛାତ୍ରାବାସ ଉଦ୍ଘାଟନର ୩ବର୍ଷ ପରେ ବି ଲାଗୁଛି ଖଁା ଖଁା।
ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଅନ୍ୟତମ ପୁରାତନ କଲେଜ ହେଉଛି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ। ୧୯୭୬ରେ ଆରମ୍ଭ ହୋଇଥିବା ଏହି କଲେଜରେ ଯୁକ୍ତ ୨, ଯୁକ୍ତ ୩ ବିଭାଗ ଖୋଲିଛି। କଳା, ବାଣିଜ୍ୟ, ବିଜ୍ଞାନରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସମ୍ମାନ (ଅନର୍ସ) ଉପଲବ୍ଧ ଥିବାରୁ ଜିଲା ତଥା ସୀମାନ୍ତ ଜିଲାର ପିଲା ଏଠାକୁ ଆକୃଷ୍ଟ ହୋଇ ଆସୁଛନ୍ତି। ଏହି କ୍ରମରେ ହାରାହାରି ୭୦% ଛାତ୍ରୀଛାତ୍ର ବାହାରର। ସେମାନଙ୍କ ରହିବା ଲାଗି ୨୦୦୨ ଓ ୨୦୧୨ରେ ସରକାରଙ୍କ ବିଭିନ୍ନ ଅନୁଦାନରୁ ୮୦ଲକ୍ଷରୁ ଊଦ୍ଧର୍ବ ଟଙ୍କା ବ୍ୟୟରେ ୨ଟି ଛାତ୍ରାବାସ ନିର୍ମାଣ କରାଯାଇଛି। ୩ବର୍ଷ ତଳେ ଏହା ଉଦ୍ଘାଟିତ ହୋଇଛି। ଏଠାରେ ୬୦ ଜଣ ଛାତ୍ରୀ ଏବଂ ୬୦ ଜଣ ଛାତ୍ରଙ୍କ ଲାଗି ରହିବା ସୁବିଧା ରହିଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରତିବର୍ଷ ନାମଲେଖା ସମୟରେ ଛାତ୍ରାବାସ ସୁବିଧା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ଅବଗତ କରାଉଛନ୍ତି। ହେଲେ ଛାତ୍ରାବାସର ଭୌଗୋଳିକ ଚିତ୍ର ଜାଣିଲେ କେହି ରହିବାକୁ ରାଜି ହେଉନାହାନ୍ତି। ପିଲାମାନଙ୍କୁ ଛାତ୍ରାବାସ ପ୍ରତି ଆକୃଷ୍ଟ କରିବାକୁ କଲେଜ କର୍ତ୍ତୃପକ୍ଷ ୧୫ ଜଣ ପିଲାଙ୍କୁ ବିନା ଦେୟରେ ଛାତ୍ରାବାସରେ ରହିବାକୁ ସୁଯୋଗ ଦେଇଥିଲେ। ତଥାପି ଏହା ଫଳପ୍ରସୂ ହୋଇପାରିନାହିଁ। ସହରଠାରୁ ହାରାହାରି ୨ କିମି ଦୂର ନର୍ଜନ କଲେଜ କ୍ୟାମ୍ପସରେ ଥିବା ଉକ୍ତ ହଷ୍ଟେଲରେ ରହିଲେ ଅତ୍ୟାବଶ୍ୟକ ସମୟରେ ସହାୟତା ନ ମିଳିବା ଆଶଙ୍କା ଛାତ୍ରୀଛାତ୍ରଙ୍କୁ ଘାରୁଛି। ଜଙ୍ଗଲୀ ପରିବେଶ ହିଁ ପିଲାମାନଙ୍କୁ ହଷ୍ଟେଲ ପ୍ରତି ବିମୁଖ କରାଉଛି। ଅନ୍ୟପଟେ ହଷ୍ଟେଲ ସୁବିଧା ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନେ ବାହାରେ ଘରଭଡ଼ା ନେଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ହଷ୍ଟେଲ କ୍ୟାମ୍ପସରେ ଭୟମୁକ୍ତ ବାତାବାରଣ ସୃଷ୍ଟି କରାଯାଇପାରିଲେ ଏହା ପିଲାଙ୍କୁ ଆକୃଷ୍ଟ କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପକ ପଦବୀ ଖାଲି:
ବାଜି ରାଉତ ସ୍ମୃତି କଲେଜରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧ୍ୟାପକଙ୍କ ମରୁଡ଼ି ଦେଖାଦେଇଛି। ଏବେ କଲେଜରେ ୪୬ଜଣ ଅଧ୍ୟାପିକାଅଧ୍ୟାପକ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି। ୨୩ଜଣ ନନ୍ ଟିଚିଂ ଷ୍ଟାଫ୍ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୪ଜଣ ଆଡ୍ହକ୍ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ରାଜନୀତି ବିଜ୍ଞାନ, ଅର୍ଥନୀତି, ଶିକ୍ଷା, ଓଡ଼ିଆ, ଇଂଲିଶ ବିଭାଗରେ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପିକାଅଧ୍ୟାପକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସରୁ ନ ଥିବାରୁ ପିଲାମାନେ ପରୀକ୍ଷା ବେଳକୁ ହଇରାଣ ହେଉଛନ୍ତି।