ପାଟଣା,୨୫।୪(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅନେକ ବଡ଼ ବଡ଼ ଗଛ ଉପୁଡି ପଡିଛି। ମାଛଗଡ଼ ରାଜୀବ ଗାନ୍ଧୀ କେନ୍ଦ୍ର ସମ୍ମୁଖରେ ଥିବା ଏକ ବିରାଟ ଶାଳ ଗଛ ଉପୁଡି ପଡିବା ଫଳରେ କାର୍ଯ୍ୟାଳୟ ଭିତରେ ଥିବା କେତେକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନୁରୂପ ଭାବେ ବାଉଁଶନାଳି ଗ୍ରାମରେ ରିଣୁ ମୁଣ୍ଡାଙ୍କ ଘର ଉପରେ ଏକ ଶାଳଗଛ ପଡ଼ିଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନେକ ଲୋକଙ୍କ ଘରର ଛପର ମଧ୍ୟ ଉଡିଯାଇଥିବା ବେଳେ କୁଆ ପଥର ମାଡ଼ରେ ଅନେକ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ ଦାବି କରିଛନ୍ତି।