କୂଅର ଜଳ

ଅଞ୍ଜନ ଚାନ୍ଦ

ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ। ନିଜ ଦୁଇ ପୁଅଙ୍କୁ ପାଖକୁ ଡାକି କୂଅ ଦୁଇଟିକୁ ବାଣ୍ଟି ଦେଲେ। କହିଲେ, ମୁଁ ଆସିବାଯାଏ ଏହାର ଦାୟିତ୍ୱ ନେବ। ପାଣି ଯେମିତି ସୁରକ୍ଷିତ ରହେ ସେଥିପାଇଁ ଯତ୍ନ କରିବ।
ବଣିକ ତୀର୍ଥ କରିବାକୁ ଚାଲିଗଲେ। ବଡ଼ ପୁଅ ଲୁହାର ଢାଙ୍କୁଣିଟିଏ ତିଆରି କଲା। କୂଅର ମୁହଁ ଉପରେ ରଖି ଜଞ୍ଜିରରେ ବାନ୍ଧି ତାଲା ପକାଇଦେଲା। ସାନପୁଅ କୂଅ ଉପରେ ପୁଲିଟିଏ ଲଗାଇଲା। ସେଥିରେ ରଶି ଲଗାଇ ଗୋଟେ ବାଲ୍ଟି ବାନ୍ଧିଦେଲା। ଗାଁଲୋକଙ୍କୁ କହିଲା, ବାପା ତୀର୍ଥ କରିବାକୁ ଯାଇଛନ୍ତି। ଯିବା ଆଗରୁ ଏଇ କୂଅଟି ଆପଣମାନଙ୍କ ପାଇଁ ଖୋଳି ଦେଇଛନ୍ତି l ଏହାର ଜଳ ଶୀତଳ ଓ ମଧୁର। ସମସ୍ତେ ଆସି ଏଠାରୁ ପିଇବା ପାଇଁ ପାଣି ନେଇଯିବେ। ଗାଁ ଲୋକେ ଖୁସି ହେଲେ। ସବୁଦିନ ସେଠାକୁ ଆସି କୂଅରୁ ପାଣି ନେଲେ।
ବହୁଦିନ ବିତିଗଲା। ବଣିକ ତୀର୍ଥସାରି ଘରକୁ ଫେରି ଆସିଲେ। ଦେଖିଲେ ସାନପୁଅର କୂଅ ପାଖରେ ମେଳା ଲାଗିଛି। ସ୍ତ୍ରୀଲୋକମାନେ କଳସୀରେ ପାଣି ଭରୁଛନ୍ତି। ଛୋଟପିଲାମାନେ ପାଖରେ ଖେଳୁଛନ୍ତି। ଜାଗାଟି ସରସ, ଶୀତଳ ଓ ସବୁଜିମାରେ ସୁନ୍ଦର ଦିଶୁଛି। ବଡ଼ପୁଅ ବଣିକଙ୍କୁ ତା’ କୂଅପାଖକୁ ନେଇଗଲା। ତାଲା ଖୋଲି ଢାଙ୍କୁଣି କାଢ଼ିଦେଲା। କହିଲା, ଆପଣ ଯିବାସମୟରେ ପାଣି ଯେମିତି ଥିଲା ଆଜି ବି ସେମିତି ଅଛି। ବଣିକ କହିଲେ, କୂଅରୁ ପାଣି କାଢ଼ି ଦେଖ। ବଡ଼ପୁଅ ପାଣି ବାହାରକଲା। ତାହା କଦର୍ଯ୍ୟ ଦିଶୁଥିଲା ଓ ଦୁର୍ଗନ୍ଧ ହେଉଥିଲା।
ପ୍ରତ୍ୟେକ ଜିନିଷ ବ୍ୟବହାର ହେଲେ ହିଁ ତାହା ସୁନ୍ଦର ରହେ। ବ୍ୟବହାର ନ ହେଲେ ମନ୍ଦିର ବି ଭୂତଙ୍କ ଆଡ୍ଡା ବନିଯାଏ।
ଆମ ଦେଶ ଦୁନିଆରେ ଯେତେ ଖାଦ୍ୟ ରହିଛି ସମାନ ଆବଣ୍ଟନ ହେଲେ କେହି ଜଣେ ଅଭୁକ୍ତ ରହିବ ନାହିଁ। ଯେତେ ବସ୍ତ୍ର ଅଛି ସମସ୍ତଙ୍କ ଶରୀରକୁ ଢାଙ୍କିଦେବ। ଯେତେ ଘର ଅଛି ସଭିଙ୍କ ମୁଣ୍ଡ ଉପରେ ଛାତ ମିଳିଯିବ। ଅଥଚ ଆଜି ବି ଅନେକ ଲୋକ ଖରା ବର୍ଷା ଶୀତରେ ଖୋଲା ଆକାଶ ତଳେ ରହୁଛନ୍ତି। ଅର୍ଦ୍ଧ ଉଲଗ୍ନ ଘୂରି ବୁଲୁଛନ୍ତି। ଦିନକୁ ଦି’ ଓଳି ପେଟପୂରା ଖାଇବାକୁ ପାଉ ନାହାନ୍ତି। ଅବ୍ୟବହୃତ ଖାଦ୍ୟ ବସ୍ତ୍ର ଓ ଗୃହ ପଡ଼ି ପଡ଼ି ନଷ୍ଟ ହେଉଛି ଏବଂ ପ୍ରାକୃତିକ ତଥା ସାମାଜିକ ପରିବେଶକୁ ନଷ୍ଟ କରୁଛି।
ଏଇ କିଛିଦିନ ତଳେ ଶାନ୍ତି ଅପାଙ୍କ ଘରକୁ ଯାଇଥିଲି। ସେ ଜଣେ ଅବସରପ୍ରାପ୍ତ ଅଧ୍ୟାପିକା। ତାଙ୍କ ସ୍ବାମୀ ବଡ଼ କଣ୍ଟ୍ରାକ୍ଟର। ଘର ନାଁରେ ସେ ଯେବେ ବିଶାଳ ଅଟ୍ଟାଳିକାଟିକୁ ତିଆରି କରିଥିଲେ ତାହାକୁ ଦେଖି ସମସ୍ତଙ୍କ ଆଖି ଖୋସିହୋଇ ଯାଇଥିଲା। ଘରଟିକୁ ଅନ୍ୟମାନଙ୍କୁ ବୁଲାଇ ଦେଖାଇବାବେଳେ ଗର୍ବରେ ତାଙ୍କ ଛାତି ଫୁଲିଉଠୁଥିଲା। ଅଥଚ ଆଜି ସେଇ ଘରଟି ସେମାନଙ୍କ ପାଇଁ ବୋଝ ପାଲଟିଛି। ପିଲାମାନେ ବଡ଼ଲୋକ ହୋଇ ଯେ ଯାହାର ପରିବାର ସହିତ ଦେଶାନ୍ତରୀ ହୋଇଛନ୍ତି। କାହିଁ କେବେଠାରୁ ଦେଶକୁ ଆସିନାହାନ୍ତି। ସମୟକ୍ରମେ ସହର ଦୂରକୁ ଘୁଞ୍ଚତ୍ୟିବାରୁ ଭଡ଼ାଟିଆ କେହି ରହିବାକୁ ଆସୁନାହାନ୍ତି। ଏତେ ବଡ଼ ଘରେ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀ। ଦିନବେଳେ ଜଣେ କାମବାଲୀ, ଅନ୍ୟକାମରେ କେହି କେବେ ଆସନ୍ତି। ରାତି ହେଲେ ଚାରିଆଡ଼େ ଖାଁ ଖାଁ। ଅସହ୍ୟ ଶୂନ୍ୟତା ଭରିଯାଏ ସବୁଠି। ଗଭୀର ରାତିରେ କେଜାଣି କେଉଁ ଘର ସନ୍ଧିରୁ ଅସ୍ବାଭାବିକ ଶବ୍ଦମାନ ଶୁଣାଯାଏ। ପତିପତ୍ନୀଙ୍କ ବୟସ୍କ ଛାତିରେ ଭୟ ସଞ୍ଚାର କରେ। କବାଟ ଖୋଲି ବାହାରକୁ ବାହାରିବାକୁ ସାହସ ହୁଏନାହିଁ। ମୁଁ କହିଲି, ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ବାଳାଶ୍ରମ ଖୋଲିବାକୁ ଘର ଖୋଜୁଛନ୍ତି। ଆପଣ ଏ ଘରୁ କିଛି ଅଂଶ ଦାନ କରି ଦିଅନ୍ତୁ। ଭାବନାର ବିପରୀତ ସ୍ବାମୀ ସ୍ତ୍ରୀ ଦୁହେଁ ହଠାତ୍‌ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ, ଯେମିତି ସେମାନେ ମୋ କଥା ଶୁଣିପାରି ନାହାନ୍ତି।
କିଛିବର୍ଷ ତଳେ ଘଟିଥିବା ଅନ୍ୟ ଏକ ଭୟଙ୍କର ଘଟଣା ଏବେ ମନକୁ ଆସୁଛି। ଜଣେ ଅଶୀତିପର ବୃଦ୍ଧଙ୍କୁ ହତ୍ୟାକରି ଦୁର୍ବୃତ୍ତମାନେ ଘରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ। ତାଙ୍କ ପୁଅ ଝିଅମାନେ ସେମିତି ବାହାରେ ରହୁଥିଲେ। ସ୍ତ୍ରୀ ମରି ଯାଇଥିଲେ। ତାଙ୍କର ସୁନାଗହଣା ସବୁ ଝିଅବୋହୂଙ୍କୁ ନ ଦେଇ ସେ ନିଜ ପାଖରେ ରଖିଥିଲେ। ନିଜର ଯତ୍ନ ନେବାପାଇଁ ସମ୍ପର୍କୀୟ ପୁତୁରା ଓ ତା’ ସ୍ତ୍ରୀକୁ ପାଖରେ ରଖିଥିଲେ। ସେମାନେ ଜରୁରୀ କାମରେ ଯେଉଁଦିନ ଗାଁକୁ ଚାଲିଗଲେ ସେଇ ଦିନ ରାତିରେ ହିଁ ଏଇ ଦୁର୍ଘଟଣା ଘଟିଲା।
ଅସଲ ରହସ୍ୟ ହେଉଛି କିଛିଦିନ ପରେ ହତ୍ୟାକାରୀ ଭାବରେ ସେଇ ପୁତୁରା ଓ ତା’ ସ୍ତ୍ରୀକୁ ପୋଲିସ ଗିରଫ କଲା। ସେମାନେ ମାନିଲେ, ସେବା ବଦଳରେ ବୃଦ୍ଧଙ୍କଠାରୁ କିଛି ଆଶା କରୁଥିଲେ। ଗହଣା ଦି’ଖଣ୍ତ ପିନ୍ଧିବା ପାଇଁ ବୋହୂଟି ବାରମ୍ବାର ନେହୁରା ହୋଇ ନିରାଶ ହୋଇଥିଲା। ଟଙ୍କା, ସୁନା କିଛି ନ ପାଇ ଶେଷରେ ସେମାନେ ଏଇ ରାସ୍ତାକୁ ଆପଣେଇଥିଲେ ଏବଂ ଧରାପଡ଼ି ଜେଲଗଲେ।
ଏମିତି ଅନେକ ଅଘଟଣ ଦିନ ଦିନ ଆମେ ପ୍ରତ୍ୟକ୍ଷ କରୁଛୁ। ଅଥଚ ଅଯଥା ସଞ୍ଚତ୍ବାର ମୋହ ଆମ ମନରୁ ଯାଉନାହିଁ। ଜଣେ ଏକୁଟିଆ ଲୋକ, ମାତ୍ର କେତେ ବର୍ଷର ଆୟୁଷ କିନ୍ତୁ ସେ ନିଜକୁ ଅଜର ଅମର ଭାବି କୁଢ଼େଇ ଚାଲିଛି ସମ୍ପତ୍ତି। ମୋହରେ ପଡ଼ି ଭୁଲିଯାଉଛି ବାସ୍ତବତାକୁ। ସତ ହେଉଛି ବ୍ୟବହାର ନ ହୋଇ ପଡ଼ି ରହିଥିବା ସୁନା ବି କ୍ରମଶଃ ମଳିନ ପଡ଼ିଯାଏ। ଅଥଚ ବ୍ୟବହାର ହେଉଥିବା ବେଙ୍ଗି ପିତଳ ଖଣ୍ଡେ ବି ସୁନା ପରି ଚକ୍‌ଚକ୍‌ ଦିଶେ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା...

କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ...

ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର...

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri