କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ ରାସ୍ତାରେ କେନ୍ଦୁଝରକୁ ନିଜ ନିଜ ସମ୍ପର୍କୀୟ, ଘର ଅଥବା ଅଫିସକୁ ଚାଲିଆସୁଥିବା ଅଭିଯୋଗ ହେଉଛି। ଏଣୁ ଏସବୁ ଅଞ୍ଚଳରୁ କେନ୍ଦୁଝର ଜିଲାକୁ ଅନୁପ୍ରବେଶ କରିବା ଆଶଙ୍କା ଏଣୁ କେନ୍ଦୁଝର- ଭଦ୍ରକ ସୀମାରେ କେନ୍ଦୁଝର ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଅନେକ ସ୍ଥାନରେ ପୋଲିସ ଟେଣ୍ଟ ମାରି ଦିନ ରାତି ପହରା ଦେଉଛି। ଯଦି କେହି ଯିବା ଆସିବା କରୁଛନ୍ତି ପୋଲିସ ପାଖ ଗ୍ରାମର ଲୋକଙ୍କୁ ଡାକି ଚିହ୍ନଟ କରିବା ପରେ ଛାଡୁଛନ୍ତି। ଏପରିକି ନଦୀ ଓ କେନାଲ ବନ୍ଧରେ କ୍ୟାମ୍ପ କରି ଜଗୁଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକମାନେ ପୋଲିସକୁ ସହାୟତା କରୁଛନ୍ତି। ସେହିପରି ଯାଜପୁର ଜିଲା ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।