ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ କରିସାରିଥିବା ଏବଂ ସମଗ୍ର ବିଶ୍ୱକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବାର ଅହମିକା ପୋଷଣ କରୁଥିବା ମଣିଷର ବୁଦ୍ଧିକୁ ହଜାଇ ଦେଇଛି। କାରଣ ଏହାଦ୍ୱାରା ଉତ୍ପନ୍ନ ନୂତନ କରୋନା ରୋଗ ବା କୋଭିଡ୍-୧୯ ସାବ୍ୟସ୍ତ ହୋଇଛି ମହାମାରୀର ଇତିହାସରେ ସବୁଠାରୁ ଘାତକ ରୂପେ। ମୁଖ୍ୟତଃ କୋଭିଡ୍-୧୯ ଭୂତାଣୁ ପ୍ରସାରିତ ହେଉଛି ଜଣେ ରୋଗୀ ଛିଙ୍କିବା, କାଶିବା, ହାଇମାରିବା ଏବଂ କଥା କହିବା ସମୟରେ ତହିଁରୁ ବାହାରୁଥିବା ଶ୍ଲେଷ୍ମ କଣିକା ସହିତ ନିର୍ଗତ ହୋଇ ଏବଂ ସୁସ୍ଥ ଲୋକକୁ ସଂକ୍ରମିତ କରୁଛି ତା’ର ଆଖି, ନାକ ଓ ପାଟି ମଧ୍ୟ ଦେଇ। ତେବେ ସୌଭାଗ୍ୟବଶତଃ ଏହି ସୂକ୍ଷ୍ମ ଜୀବଟି ଆର୍ଏନ୍ଏଧାରୀ ଭୂତାଣୁମାନଙ୍କ ମଧ୍ୟରେ ସର୍ବବୃହତ୍ ହୋଇଥିବାରୁ ଅତି ସୂକ୍ଷ୍ମ କଣିକାରେ ତାହା ସବାର ହୋଇପାରେ ନାହିଁ। ଫଳରେ ବାୟୁରେ ତାହା ମାତ୍ର ୧ ମିଟର ପର୍ଯ୍ୟନ୍ତ ଗତି କରିପାରେ- ତହିଁରୁ ଅଧିକ ନୁହେଁ। ସେଇଥି ପାଇଁ ଏହାର ସଂକ୍ରମଣରୁ ରକ୍ଷା ପାଇବା ଲାଗି ଅତି କମ୍ରେ ଲୋକେ ପରସ୍ପରଠାରୁ ଏତିକି ସାମାଜିକ ଦୂରତା ରଖିବାକୁ ଉପଦେଶ ଦିଆଯାଉଛି।
ଏପରି କରିବା ଆମର ଏକ ପୁରୁଣା ଅଭ୍ୟାସ ଥିଲା। ଏହି ସମୟରେ ଆମଠାରେ ଥିବା ବିବିଧ ଜୀବାଣୁ ନିର୍ଗତ ହୋଇ ପାଖରେ ଥିବା ଅନ୍ୟମାନଙ୍କୁ ତଥା ବାୟୁକୁ ସଂକ୍ରମିତ କରେ ବୋଲି ଆମେ ଜାଣୁ। ଉଦାହରଣ ସ୍ବରୂପ ଜଣେ ଯକ୍ଷ୍ମାରୋଗୀ ୫ ସେକେଣ୍ଡ ପାଇଁ କାଶିଲେ ତା’ଠାରୁ ୬୦୦ରୁ ୧୫୦୦ ପର୍ଯ୍ୟନ୍ତ ଜୀବାଣୁ ନିଷ୍କାସିତ ହେଉଥିବାର କୁହାଯାଏ। ତେବେ, ଆମେ ସେଥିପ୍ରତି ଗୁରୁତ୍ୱାରୋପ କରୁ ନ ଥିଲୁ। ଏବେ ତାହା କୋଭିଡ୍-୧୯ ସଂକ୍ରମଣର ପ୍ରଧାନ ମାର୍ଗ ରୂପେ ଜଣାପଡ଼ିଲାଣି। ସେଥିପାଇଁ ସାମାଜିକ ଦୂରତ୍ୱ ରକ୍ଷା ସଙ୍ଗେ ସଙ୍ଗେ ମୁହଁରେ ମାସ୍କ ବା ମୁଖା ପିନ୍ଧି ବାହାରକୁ ଯିବା ଲାଗି ପରାମର୍ଶ ଦିଆଯାଉଛି। କିନ୍ତୁ ଏହି ଆପାତକାଳ ହଟିଲା ପରେ ମଧ୍ୟ ଡାକ୍ତରଖାନା, ବଡ଼ ବଡ଼ ମଲ୍ କିମ୍ବା ଉତ୍ସବ ଆଦିକୁ ଗଲାବେଳେ ଆମେ ଏହି ଅଭ୍ୟାସକୁ ଜାରି ରଖିବା ଉଚିତ ହେବ। ନଚେତ୍ ତାହା ହୁଏତ ହଠାତ୍ କେବେ ବିପଜ୍ଜନକ ହୋଇଯାଇପାରେ ବୋଲି ଆମକୁ ବର୍ତ୍ତମାନର ପରିସ୍ଥିତିରୁ ଶିକ୍ଷା କରିବାକୁ ପଡ଼ିବ।
ପୁନଶ୍ଚ ଏ ଭୂତାଣୁ ସଂକ୍ରମିତ ଲୋକର ହାତ ଦେଇ ସେ ସ୍ପର୍ଶ କରୁଥିବା ବିବିଧ ସାମଗ୍ରୀରେ ଲାଖି ରହିପାରେ। ଅନ୍ୟ ଜଣେ ତାକୁ ଛୁଇଁ ସେହି ହାତରେ ଆଖି, ନାକ ବା ପାଟିକୁ ଛୁଇଁଲେ ସଂକ୍ରମଣର ଶିକାର ହୋଇଥାଏ। ଏହି କାରଣରୁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା, ଭାରତୀୟ ଚିକିତ୍ସା ସଂସ୍ଥାନଠାରୁ ଆରମ୍ଭ କରି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ଯେ କୌଣସି କାମ କରିସାରିଲା ପରେ ବାନ୍ଧିବାର ହାତକୁ ଭଲ ଭାବେ ଧୋଇବାକୁ।
ହାତ ଆମର ସବୁଠାରୁ ବେଶି ବ୍ୟବହୃତ ହେଉଥିବା ଅଙ୍ଗ। ଏଣୁ ଏହା ସଂକ୍ରମିତ ହେବାର ସମ୍ଭାବନା ସର୍ବାଧିକ। ସେଥିପାଇଁ ଏହାକୁ ପରିଷ୍କାର ରଖିବା ସ୍ବାସ୍ଥ୍ୟରକ୍ଷାର ସାଧାରଣ ନିୟମ। କିନ୍ତୁ ଅଧିକାଂଶ ସମୟରେ ଆମେ ଏହା ଏଡ଼ାଇଯାଉ। ଏହାକୁ ଦୃଷ୍ଟିରେ ରଖି ଏ ସଚେତନତାର ପ୍ରସାର ଲାଗି ୨୦୦୬ ମସିହାରୁ କାର୍ଯ୍ୟ କରିଆସୁଛି ଆମେରିକାର ”ଗ୍ଲୋବାଲ୍ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରଶିପ୍ ଫର୍ ହ୍ୟାଣ୍ଡ୍ଓ୍ବାଶିଂ“ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା। ଏହାର ଆକଳନ ଅନୁସାରେ ଅପରିଷ୍କାର ହାତ ମାଧ୍ୟମରେ ହିଁ ବ୍ୟାପିଥାଏ ଶର୍ଦ୍ଦି, ଏନ୍ଫ୍ଲୁଏଞ୍ଜା, ହାଡ଼ଫୁଟି, ଗାଲୁଆ, ଶ୍ୱାସ, ଆମାଶୟଠାରୁ ଆରମ୍ଭ କରି ବିବିଧ କରୋନା ଜାତୀୟ ରୋଗର ଜୀବାଣୁ ଓ ଭୂତାଣୁ। ସେଥିପାଇଁ ଏହାରି ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧୫କୁ ”ବିଶ୍ୱ ହାତଧୁଆ ଦିବସ’ ରୂପେ ପାଳନ କରାଯାଉଛି।
ପରୀକ୍ଷାରୁ ଜଣାପଡ଼ିଛି, ରୋଗୀର ଚିକିତ୍ସା କରିସାରିଲା ପରେ ଜଣେ ଡାକ୍ତର, ନର୍ସ ବା ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ହାତରେ ୪୦୦ରୁ ୧୫୦୦ ଜୀବାଣୁ ବା ଭୂତାଣୁ ଲାଗିଥାନ୍ତି। ସେହିପରି ବଜାର ସଉଦା ସାରି ଫେରିଥିବା ଲୋକ ଏବଂ ସ୍କୁଲରୁ ଲେଉଟିଥିବା ପିଲାର ହାତରେ ଏହା ୨୦୦ରୁ ୧୨୦୦ ପର୍ଯ୍ୟନ୍ତ ଥିଲାବେଳେ ଶୌଚ ହେଲାପରେ ଭଲକରି ହାତ ଥୋଉ ନ ଥିବା ଲୋକର ହାତରେ ଏହାର ସଂଖ୍ୟା ୨୦୦ରୁ ୭୦୦। ତେବେ, ଆମେ ସେଥିପ୍ରତି ସଚେତନ ନୋହୁଁ। ଉପରୋକ୍ତ ଅନୁଷ୍ଠାନ ଏହି କାରଣରୁ କାହାରି ସହିତ କର ମର୍ଦ୍ଦନକୁ ମଧ୍ୟ ବାରଣ କରିଛି। ବର୍ତ୍ତମାନ କୋଭିଡ୍-୧୯ ଆମକୁ ଏସବୁ ପାଇଁ ଉଚିତ ଶିକ୍ଷା ଦେଇଛି। ତେଣୁ ଆମେ ସାମାନ୍ୟ କିଛି କାମ କଲାପରେ ସାନିଟାଇଜର ଲଗାଉଛୁ କିମ୍ବା ସାବୁନ ପାଣିରେ ହାତ ଧୋଉଛୁ ଏବଂ କରମର୍ଦ୍ଦନ ବଦଳରେ କାହାରିକୁ ଶ୍ରଦ୍ଧା ବା ସମ୍ମାନ ଜଣାଇବା ଲାଗି ନମସ୍କାର କରୁଛୁ।
ରୋଗୀର ଛେପ ଜୀବାଣୁ ଓ ଭୂତାଣୁଙ୍କ ଗନ୍ତାଘର। କିନ୍ତୁ ଯେଉଁଠି ନାହିଁ ସେଇଠି ଛେପ ପକାଇଦେବା ଆମର ଗୋଟାଏ ବଦଭ୍ୟାସ। ପାନ, ଗୁଟ୍ଖା ଆଦି ଖାଉଥିବା ଲୋକେ ଏହା ଅଧିକ କରିଥାନ୍ତି। ଏହା ଦ୍ୱାରା ନୂତନ କରୋନା ବା କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ବ୍ୟାପକ ହେବାର ସମ୍ଭାବନା ଥିବାରୁ ଏବେ ଏହାକୁ ନିଷେଧ କରାଯାଇଛି। ସର୍ବସାଧାରଣରେ ଏପରି କରୁଥିବା ଲୋକ ପ୍ରତି ଦଣ୍ଡ ଧାର୍ଯ୍ୟ କରାଯାଇଛି। ତେବେ ଏପରି ନ କରିବା ଲାଗି ଅନେକ ଆଗରୁ ସଚେତନତା ଆରମ୍ଭ କରିଥିଲା ମୁମ୍ବାଇର ଏକ ସ୍ବେଚ୍ଛାସେବୀ ସଂସ୍ଥା। ୨୦୦୬ରେ ଏହାଦ୍ୱାରା ଅନୁଷ୍ଠିତ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ୧୦ ମିଲିଲିଟର ପାନପିକରେ ଥା’ନ୍ତି ୨୦୦୦ରୁ ୨୩୦୦୦ ଜୀବାଣୁ ଓ ଭୂତାଣୁ। ସେହି କାରଣରୁ ସର୍ବସାଧାରଣରେ ଏହା ପକାଇଲେ ଦିଲ୍ଲୀରେ ୨୫୦ ଏବଂ ମୁମ୍ବାଇରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଥିଲା। ଏହାକୁ କେହି ଗୁରୁତର ସହ ଗ୍ରହଣ କରୁ ନ ଥିଲେ। ବର୍ତ୍ତମାନ କୋଭିଡ୍-୧୯ ଏ ସମସ୍ୟାକୁ ଜଟିଳ କରିଛି। ତେଣୁ ଏଥିପାଇଁ ଅଧିକ କଠୋର ଦଣ୍ଡର ବ୍ୟବସ୍ଥା ହୋଇଛି। ଅତଏବ ଆମକୁ ମିଳିଛି ଏକ ଉପଯୁକ୍ତ ଶିକ୍ଷା।
ଏବେ ବିଚାରକୁ ନେବା ଆମ ଦେଶରେ ନିରାମିଷ ଭୋଜନ ପରମ୍ପରାର ଗୁରୁତ୍ୱ କଥା। ମଣିଷ ଯେ ଏକ ନିରାମିଷାଶୀ ପ୍ରାଣୀ ତା’ ଶାରୀରିକ ଗଠନ ଓ କ୍ରିୟା ପ୍ରକ୍ରିୟାରୁ ସୁସ୍ପଷ୍ଟ। ତେବେ, ବର୍ତ୍ତମାନର ବିଶ୍ୱରେ ପ୍ରାୟ ୮୭ ଶତାଂଶ ଲୋକ ଅଳ୍ପବହୁତ ଆମିଷ ଭୋଜନ କରନ୍ତି। ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଏ ଖାଦ୍ୟର ଚାହିଦା ମଧ୍ୟ ବଢ଼ି ଚାଲିଛି। ଫଳରେ ପରିବେଶ ଓ ପରିସଂସ୍ଥାଠାରୁ ଆରମ୍ଭ କରି ଜଳସଂପଦ ଉପରେ ଚାପ ବଢ଼ୁଛି। କାରଣ ଏହାର ଉତ୍ପାଦନ ପାଇଁ ଆବଶ୍ୟକ ହେଉଛି ଅଧିକ ପ୍ରାକୃତିକ ସଂସାଧନ। ଏପରି କି ଅନେକ ସମୟରେ ଏଥିରୁ ଉତ୍ପନ୍ନ ହେଉଛି ଜନସ୍ବାସ୍ଥ୍ୟ ପ୍ରତି ଘୋର ବିପତ୍ତି। ବିଗତ ବର୍ଷମାନଙ୍କରେ ଘଟିଯାଇଥିବା ବାର୍ଡଫ୍ଲୁ, ସ୍ବାଇନ୍ ଫ୍ଲୁ, ମ୍ୟାଡ୍ କାଓ ଡିଜିଜ୍ ଆଦି ମୂଳରେ ପ୍ରଥମ କାରଣଟି ଏବଂ ବର୍ତ୍ତମାନର କୋଭିଡ୍-୧୯ ମୂଳରେ ଦ୍ୱିତୀୟଟି ଥିବାର ମନେହୁଏ। ଅତଏବ ଆମର ଆମିଷ ଭୋଜନକୁ ପରିବେଶ, ପରିସଂସ୍ଥା ତଥା ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସୀମିତ ଓ ଶୃଙ୍ଖଳିତ କରିବା ଦରକାର। ଏହି ସଚେତନତାର ପ୍ରସାର ଲାଗି ଜାତିସଂଘ ତରଫରୁ ପ୍ରତି ବର୍ଷ ପାଳନ ହୋଇ ଆସୁଛି ‘ନୋ ମିଟ୍ ଡେ’। ପୁନଶ୍ଚ ପ୍ରସିଦ୍ଧ ପରିବେଶବିତ୍ ତଥା ନୋବେଲ ପୁରସ୍କାର ବିଜେତା ରାଜେନ୍ଦ୍ର କୁମାର ପଟଉରୀ ଏହାକୁ ଏକ ସପ୍ତାହକୁ ଏବଂ ତତ୍ପରେ ଅଲଗା ଅଲଗା ସମୟରେ ସପ୍ତାହେ ସପ୍ତାହେ ଧରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆମେ ଏଥିପ୍ରତି ଗୁରୁତ୍ୱ ଦେବା ଲାଗି ଶିକ୍ଷା ଦେଇଛି ବର୍ତ୍ତମାନର କୋଭିଡ୍-୧୯। ଏସବୁ କେବଳ ମାନବ ଜାତି କାହିଁକି, ସମଗ୍ର ଜୀବଜଗତ ଲାଗି ଏକାନ୍ତ ପ୍ରୟୋଜନ।
ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭