ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ଦେଶରେ ଲାଗୁ ହୋଇଛି ଲକ୍ଡାଉନ ୩.୦। ପୂର୍ବରୁ ଯେଉଁ ୪୦ ଦିନିଆ ଲାକ୍ଡାଉନ ଘୋଷଣା କରାଯାଇଥିଲା ସେତେବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳି ନ ଥିବା ବେଳେ ଏବେ କିନ୍ତୁ କିଛି ରାଜ୍ୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ସୋମବାର ବିଭିନ୍ନ ସ୍ଥାନରେ ଖୋଲିଥିବା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏହି ସମୟରେ କିଛି ସ୍ଥାନରେ ଲୋକେ ସୋସିଆଲ ଡିଷ୍ଟାନସିଂକୁ ବେଖାତିର କରୁଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଥିଲା ମଦ କିଣିବା ସମୟରେ ସୋସିଆଲ ଡିଷ୍ଟାନସିଂ ନିୟମ ପାଳନ କରିବା ସହ ଅତିକମ୍ରେ ୫ ଜଣ ଲୋକ ଦୋକାନରେ ମଦ କିଣିପାରିବେ। କିନ୍ତୁ ବେଙ୍ଗାଲୁରୁରୁ ଆସିଥିବା ଏକ ଖବରରୁ ଜଣାପଡିଛି କି ସେଠାରେ ମଦ ଦୋକାନ ଖୋଲିବା ପୂର୍ବରୁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ଆଉ ଦୋକାନ ଖୋଲୁ ଖୋଲୁ ମଦ ନେବାକୁ ଯେମିତି ଲୋକଙ୍କ ମଧ୍ୟରେ ଲାଗିଯାଇଥିଲା ପ୍ରତିଯୋଗୀତା। କିନ୍ତୁ ରାଜଧାନୀ ଦିଲ୍ଲୀରେ ଲୋକେ ସୋସିଆଲ ଡିଷ୍ଟାନସିଂ ନିୟମ ପାଳନ କରିବା ଦେଖାଯାଇଥିଲା। ଏଠାରେ ମଦ ଦୋକାନ ସାମ୍ନାରେ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଲାଇନ ଲାଗିଥିବା ଦେଖାଯାଇଥିଲା। ସେହିପରି କର୍ନାଟକର ହୁବଳିରେ ଲୋକେ ସକାଳ ପ୍ରାୟ ୭ଟାରୁ ଲାଇନରେ ଠିଆ ହୋଇଥିବା ବେଳେ ସୋସିଆଲ ଡିଷ୍ଟାନସିଂ ପାଳନ କରିବା ସହ ନିଜ ନିଜ ସ୍ଥାନରେ ବସି ନମ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା ରଖିଥିବା ଦେଖାଯାଇଥିଲା।