ବାଲିଗୁଡ଼ା,୨୭ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳକୁ ବୁଧବାର ସକାଳେ ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଦାରିଙ୍ଗବାଡ଼ି ଦେଇ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ସୀମା ସିଲ୍ ସ୍ଥାନ ଡବରିରେ ପହଞ୍ଚି ସ୍ଥିତି ପରଖିଥିଲେ। ସେଠାରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଉକ୍ତ ଅଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରର ସ୍ଥିତି ପରଖିଥିଲେ। ସ୍ଥାନୀୟ ଆଇଆଇସି କୌଶିକ ମାଝିଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି, କ୍ୱାରାଣ୍ଟାଇନ୍ ସେଣ୍ଟର, ଲକ୍ଡାଉନ୍ ସହ ରାତିରେ ପାଟ୍ରୋଲିଂ ଆଦି ବିଷୟରେ ପଚାରି ବୁଝିଥିଲେ।
ସୂଚନାଯୋଗ୍ୟ, ଲକ୍ଡାଉନ୍ର ଚତୁର୍ଥ ପର୍ଯ୍ୟାୟ ଚାଲିଥିବାବେଳେ ଏବେ ସୁଦ୍ଧା କନ୍ଧମାଳ-ଗଞ୍ଜାମ ସୀମାକୁ ସିଲ୍ କରି ରଖାଯାଇଛି। ଜିଲା ପ୍ରଶାସନର ପରବର୍ତ୍ତୀ ଚିଠି ନ ଆସିବା ପର୍ଯ୍ୟନ୍ତ ଏହି ସୀମା ସିଲ୍ ଅବ୍ୟାହତ ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।