ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଗାନ୍ଧୀପାର୍କଠାରେ ଶନିବାର ସମ୍ବିଧାନ ବଞ୍ଚାଅ ଓ ଭାରତ ଯୋଡ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦ୍ ଓ କସ୍ତୁରବା ଗାନ୍ଧୀଙ୍କର ମହାପ୍ରୟାଣ ଦିବସ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଭାରତଯୋଡ ମଞ୍ଚ ପକ୍ଷରୁ ଏହି ଗଣ ସମାବେଶ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି, ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ, ବାମପନ୍ଥୀ ବୁଦ୍ଧିଜୀବୀ ଏବଂ ସଙ୍ଗଠକ ସନ୍ତୋଷ ଦାସ, ଅଧ୍ୟାପକ କୁଳମଣି ଜେନା ପ୍ରମୁଖ ବିଶିଷ୍ଟ ଆଲୋଚକ ଭାବେ ଯୋଗଦେଇ ଭାରତବର୍ଷର ଧର୍ମ ନିରପେକ୍ଷ ସମନ୍ବୟୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ଆଦି ପ୍ରସଙ୍ଗକୁ ନେଇ ଦେଶର ବହୁ ଅଞ୍ଚଳରେ ଯେଉଁ ଆଶଙ୍କା ଓ କ୍ଷୋଭ ପ୍ରକାଶ ପାଉଛି, ତାହାର ପରିପ୍ରକାଶ ସମାବେଶର ମୁଖ୍ୟ ଆଲୋଚନାର ବିଷୟ ରହିଥିଲା। ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସମ୍ପାଦକ ସମାଜବାଦୀ ନେତା ପ୍ରଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ନାଗରିକ ପଞ୍ଜିକା ଓ ନାଗରିକ ସଂଶୋଧନ ଆଇନ ବର୍ତ୍ତମାନ ତୀବ୍ର ଅସନ୍ତୋଷର କାରଣ ହୋଇଛି ବୋଲି ମତପ୍ରକାଶ ପାଇଥିଲା। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସ ଓ ଶାନ୍ତି ଫେରାଇ ଆଣିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ବୋଲି ଆଲୋଚକମାନେ କହିଥିଲେ। ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଡା. ତୁଷାରକାନ୍ତି ନାୟକ, ଭରତ ଦାସ, ଅନ୍ତର୍ଯ୍ୟାମୀ ବରାଳ, ମଲେଖା ଖାତୁନ, ଜିଲା କଂଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, ଜୁମା ମସଜିଦର ଇମାନ ମୌଲାନ ଅବୁର ହୁସେନ କାସୁମି, ନୁରୁଲ ଇସଲାମ, ସୁନୀଲ ଦାଶ, ମନୋରଞ୍ଜନ ପଟ୍ଟନାୟକ ଓ ସୁବାସିନୀ ମହାକୁଡ ପ୍ରମୁଖ ନିଜର ମତ ଉପସ୍ଥାପନ କରିଥିଲେ ା ସମାଜବାଦୀ ନେତା ସରୋଜ କୁମାର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମହମ୍ମଦ ଉସମାନ ଧନ୍ୟବାଦ ପ୍ରଦାନ କରିଥିଲେ।