ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ୟିଙ୍କ ସହିତ ଆଲୋଚନା କରିଛନ୍ତି। ବୁଧବାର ଜୟଶଙ୍କର ଓ୍ବାଙ୍ଗଙ୍କୁ ଫୋନ କରିଛନ୍ତି। ଏହି ଘଟଣା ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଓ୍ବାଙ୍ଗ୍ ଗୁରୁତ୍ୱାରୋପ କରିଛନ୍ତି। ଦୁଇଦେଶ ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ଚାଇନା କହିଛି। ସୂଚନାଯୋଗ୍ୟ, ପୂର୍ବରୁ ଦୁଇପକ୍ଷଙ୍କ ମଧ୍ୟରେ ସେନା କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ତେବେ ଚାଇନାର ସ୍ଥାନୀୟ କମାଣ୍ଡର ଏହାକୁ ଉଲ୍ଲଂଘନ କରିଥିବା କୁହାଯାଉଛି।