ନୂଆଦିଲ୍ଲୀ,୧।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଏକ ବଡ ପଦକ୍ଷେପ ନେଇଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀ ସୀମା ସିଲ୍ କରାଯିବ ବୋଲି କହିଛନ୍ତି କେଜରିଓ୍ବାଲ। ହେଲେ ଏହି ସମୟରେ ଜରୁରୀକାଳିନ ସେବା ଯୋଗାଇ ଦିଆଯିବ। ଲକ୍ଡାଉନ ୫.୦କୁ ନେଇ କଥା ହେଉଥିବା ବେଳେ କେଜରିଓ୍ବାଲ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଗୋଟିଏ ସପ୍ତାହ ପରେ ଜନତାଙ୍କ ମତାମତ ନେଇ ସୀମା ସିଲ୍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ ଥିବା କିଛି କଟକଣାକୁ ଦିଲ୍ଲୀ ସରକାର ଏବେ ହଟାଇ ଦେଇଥିବା ବେଳେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କେହି ବାହାରକୁ ନ ବାହାରିବାକୁ କୁହାଯାଇଛି। ହେଲେ ଆଗରୁ ଅଟୋ ବା ଇ-ରିକ୍ସା ପାଇଁ ଯେଉଁ ନିୟମ ଥିଲା ତାକୁ ମଧ୍ୟ କୋହଳ କରାଯାଇଛି। ତେବେ ଦିଲ୍ଲୀ ବାହାରୁ ଆସୁଥିବା ଲେକାଙ୍କ ଦ୍ୱାରା ଦିଲ୍ଲୀରେ କରୋନା ସଂକ୍ରମଣ ଅଧିକ ହେଉଥିବା ଲକ୍ଷ୍ୟ କରି ଏବେ ସୀମାକୁ ସିଲ୍ କରାଯାଇଥିବା ସେ କହିଛନ୍ତି।