ଗଣିଆ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ପୋଖରୀରେ ୨ଟି କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । ପାଖାପାଖି ଥିବା ଦୁଇଟି ପୋଖରୀରେ କୁମ୍ଭୀର ୨ଟି ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୁମ୍ଭୀର ଆକ୍ରମଣ ଭୟରେ ଲୋକମାନେ ପୋଖରୀକୁ ସ୍ନାନ ଓ ଶୌଚ ପାଇଁ ଯାଇପାରୁନାହାନ୍ତି।
ଠାରୁ ପ୍ରକାଶ, କୁମ୍ଭୀର ଦୁଇଟି ଗତ କିଛି ଦିନ ହେଲା ନିକଟସ୍ଥ ମହାନଦୀରୁ ଚାଲିଆସି ଏହି ପୋଖରୀରେ ରହିଛନ୍ତି । ସୋମବାର ସକାଳୁ ଗ୍ରାମର କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରୀ ହୁଡାରେ କୁମ୍ଭୀର ଦୁଇଟିକୁ ଦେଖିବାକୁ ପାଇଥିଲେ। ମହାନଦୀରେ ଗୋଳିଆ ପାଣି ଆସୁଥିବାରୁ ଗ୍ରାମବାସୀ ଏହି ପୋଖରୀରେ ସ୍ନାନ ଶୌଚ ପାଇଁ ନିର୍ଭର କରିଥାନ୍ତି । ସେହିପରି ପୋଖରୀରେ ଛଡାଯାଇଥିବା ମାଛ ଯାଆଁଳଗୁଡିକୁ କୁମ୍ଭୀର ଖାଇଦେବା ଆଶଙ୍କା ଦେଖାଦେଇଛି । ଏ ନେଇ ଗ୍ରାମବାସୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଖରୀରୁ କୁମ୍ଭୀର ଦୁଇଟିକୁ ଉଦ୍ଧାର କରି ମହାନଦୀରେ ଛାଡିଦେବା ପାଇଁ ଦାବି କରିଛନ୍ତି। କୁମ୍ଭୀର ପ୍ରତି ନଜର ରଖାଯିବା ପାଇଁ ପୋଖରୀ ନିକଟରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବା ସହ ଖୁବ୍ ଶୀଘ୍ର କୁମ୍ଭୀର ଦୁଇଟିକୁ ଉଦ୍ଧାର କରାଯାଇ ମହାନଦୀରେ ଛଡାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି ।