ଝାରସୁଗୁଡ଼ା ଅଫିସ,୨୫।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ବିକ୍ରୟ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ବିଭିନ୍ନ ସାମଗ୍ରୀକୁ ଚଢ଼ାଦରରେ ବିକ୍ରୟ କରୁଛନ୍ତି। ଝାରସୁଗୁଡ଼ା ସହରର ବେହେରାମାଲ ଛକ ଅଞ୍ଚଳର ଜଣେ ଦୋକାନୀ ବୁଧବାର ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଥିଲା। ପରେ ଜିଲା ଯୋଗାଣ ଅଧିକାରୀ ଉଦିତ ନାରାୟଣ ପଟ୍ଟନାୟକ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ସମ୍ପୃକ୍ତ ଦୋକାନ ମାଲିକ ଗୋପୀ କେଶରୀଙ୍କୁ ଝାରସୁଗୁଡା ପୋଲିସକୁ ହସ୍ତାନ୍ତର କରିଛି। ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି। ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି। ତେବେ କେଉଁଠାରେ କଳାବଜାର କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ାଦରରେ ବିକ୍ରୟ ହେଉଥିଲେ ପ୍ରତିବାଦ କରିବା ସହିତ ଜିଲା ଯୋଗାଣ ବିଭାଗକୁ ଜଣାଇବାକୁ ଜିଲା ଯୋଗାଣ ଅଧିକାରୀ ପଟ୍ଟନାୟକ କହିଛନ୍ତି।