କୋଣାର୍କ,୧।୨(ଡି.ଏନ୍.ଏ.): ମାଘ ସପ୍ତମୀ ଉପଲକ୍ଷେ ଶନିବାର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏଥିସହ ମହୋଦଧି କୂଳରେ ସୂର୍ଯ୍ୟପୂଜା କରିବା ସହ ସୂର୍ଯ୍ୟଦର୍ଶନ କରିଥିଲେ। ପରେ କୋଣାର୍କ ଆସି ନବଗ୍ରହଙ୍କ ପୀଠରେ ପୂଜାର୍ଚ୍ଚନା କରି ହୋମଯଜ୍ଞ କରିଛନ୍ତି। ଏହାଛଡ଼ା ପ୍ରବେଶ ଶୁଳ୍କ ଛାଡ଼ ଥିବା ହେତୁ ଶ୍ରଦ୍ଧାଳୁମାନେ ସୂର୍ଯ୍ୟମନ୍ଦିର ବୁଲୁଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ମାଘ ମାସ ସପ୍ତମୀ ତିଥିରେ ଚନ୍ଦ୍ରଭାଗାସ୍ଥିତ ପବିତ୍ର ପୁଷ୍କରିଣୀରେ ବୁଡ଼ ପକାଇଲେ ପାପ କ୍ଷୟ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉଥିବାର ବିଶ୍ୱାସ ରହିଛି। ଏଥିନେଇ ଉକ୍ତ ଦିନ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ୧୨୫ ବର୍ଷ ପରେ ବାରୁଣୀ ସ୍ନାନ ପଡ଼ୁଥିବାରୁ ଏହା ଅଧିକ ସ୍ବତନ୍ତ୍ର ହୋଇଛି।