ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ ହେଉଛି କେଉଁ ନେତାମାନେ ସାମିଲ ହେବେ ମୋଦି ସରକାରରେ। ବିଭିନ୍ନ ରାଜ୍ୟର ନେତାଙ୍କ ନିକଟକୁ ଗୁରୁବାର ସକାଳୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ କଲ୍ ଯାଉଥିବା ବେଳେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଆଲୋଚନା ଚାଲିଛି। ଓଡ଼ିଶାର ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରୁ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଲ୍ ଆସିଥିବା ବେଳେ ଏବେ ଆଉ ଜଣେ ଭାଜପା ନେତା ବାଲେଶ୍ବର ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପାଖକୁ ପିଏମ୍ଓରୁ ଟେଲିଫୋନ୍ କଲ୍ ଆସିଥିବାରୁ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ପ୍ରତାପ ମୋଦି କ୍ୟାବିନେଟରେ ସ୍ଥାନ ପାଇ ପାରନ୍ତି ବୋଲି ତାଙ୍କ ଶୁଭଚିନ୍ତକ ଓ କର୍ମୀମାନେ ଆଶା ରଖିଛନ୍ତି।