ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ ଜମ୍ମୁ-କଶ୍ମୀର କାସକୁଟ ବନିହାଲର ନିଜାମୁର ରେହେମାନ। ସେ ଚାଇନାର ଉହାନ ସହରରେ ରହୁଥିବା ବେଳେ ସେଠାରେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା। ଏହାକୁ ଦେଖି ଉହାନ ସହରକୁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ସମୟ ତାଙ୍କର ଘର ଭିତରେ କଟୁଥିଲା। ଡାକ୍ତରୀ ଛାତ୍ର ହୋଇ ମଧ୍ୟ ସେ ଏହାଦେଖି ଡରି ଯାଇଥିଲେ ବୋଲି କହିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଲକ୍ଡାଉନ୍ ମୁଖ୍ୟ ଅସ୍ତ୍ର ବୋଲି ସେ ମୋଦିଙ୍କ ସହ କଥା ହେବା ବେଳେ କହିଛନ୍ତି। ଯେତେବେଳେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ଉହାନରୁ ଉଦ୍ଧାର କରାଗଲା ସେତେବେଳେ ସେ ଆଶ୍ୱସ୍ତ ହେଲେ ବୋଲି କହିଛନ୍ତି। ତାଙ୍କ ସହ କଥା ହେବା ସମୟରେ ମୋଦି କହିଛନ୍ତି ଲକ୍ଡାଉନ୍ ଜେଲ୍ ଦଣ୍ଡ ବୋଲି ଲୋକଙ୍କର ଧାରଣା ରହିଥିଲା। ହେଲେ ଏହା ସେମିତି କିଛି ନୁହେଁ ବରଂ କରୋନା ସହ ଲଢିବାର ମୁଖ୍ୟ ଅସ୍ତ୍ର। ସୂଚନାଯୋଗ୍ୟ, ଉହାନ ସହରରେ ଥିବା ୬୦ ଡାକ୍ତରୀ ଛାତ୍ରଙ୍କୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।