ନୂଆଦିଲ୍ଲୀ,୨୬-୭: ଆମେରିକା ସହିତ ଜାରି ଟ୍ରେଡ୍ ଓ୍ବାର୍ ଚାଇନା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। କମ୍ପାନୀଗୁଡ଼ିକ ଚାଇନାରୁ ନିଜର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ଆରମ୍ଭ କଲେଣି। ମିଡିଆ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବବୃହତ ଖେଳଣା କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ହାସ୍ବ୍ରୋ ଇଙ୍କ୍ ଚାଇନାରୁ ନିଜର କାରଖାନାକୁ ଭିଏତ୍ନାମ ଏବଂ ଭାରତକୁ ସ୍ଥାନାନ୍ତର କରିବାକୁ ବିଚାର କରୁଛି।
ସାର୍ବଜନୀନ ରୂପରେ କାରବାର କରୁଥିବା ସବୁଠାରୁ ବଡ଼ ଖେଳଣା ନିର୍ମାତା କମ୍ପାନୀ ନିକଟରେ ‘ଫ୍ରୋଜନ’ ଏବଂ ‘ଆଭେଞ୍ଜର୍ସ’ ଭଳି ଫ୍ରାଞ୍ଚାଇଜ ରହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଚାଇନାରେ ଆମେରିକା ସାମଗ୍ରୀ ଉତ୍ପାଦନ ୨୦୨୦ ଶେଷ ସୁଦ୍ଧା ୫୦% ପର୍ଯ୍ୟନ୍ତ ହ୍ରାସ ପାଇବ। ସୂଚନାଯୋଗ୍ୟ ଯେ, ଆମେରିକା ସହ ଟ୍ରେଡ ଓ୍ବାର୍ ଆରମ୍ଭ ହେବା ପରେ ଚାଇନାର ଅର୍ଥନୀତି ଧିମା ହେବାରେ ଲାଗିଛି। ସେଠାରେ ଉତ୍ପାଦନ କରୁଥିବା ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଏବେ ଅନ୍ୟ ଦେଶକୁ ଚାଲିଯିବାକୁ ଚିନ୍ତା କରୁଛନ୍ତି। ହାସବ୍ରୋ ଇଙ୍କ ଏହି କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ। ତେବେ ଇଣ୍ଟେଲ କର୍ପ ମଧ୍ୟ ଚାଇନାରୁ ତା’ର ବହିବସ୍ତାନୀ ଗୋଟାଇବ ବୋଲି ସଙ୍କେତ ଦେଇସାରିଛି। ହାସ୍ବ୍ରୋର ଚିଫ୍ ଏକ୍ଜିକ୍ୟୁଟିଭ ଅଫିସର ବ୍ରାୟାନ ଗୋଲ୍ଡନର କହିଛନ୍ତି ଯେ, କମ୍ପାନୀ ନିଜର ପାଦ ବଢ଼ାଇଚାଲିଛି। ଉତ୍ପାଦନ ବଢ଼ାଇବା ଲାଗି ଏହା ଭୌଗଳିକ କ୍ଷେତ୍ରକୁ ଯୋଡି ଚାଲିଛି।