ତାଳଚେର,୧୫ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡର ଗୁରୁବକ୍ସ ସିଂଙ୍କ ଘର ଅଗଣାରେ ଥିବା କୂଅ ମଙ୍ଗଳବାର ରାତିରେ ଚାନ୍ଦିନୀ ସହ ୧୦ ଫୁଟ ଦବି ଯାଇଛି। ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ବାରମ୍ବାର ତାଳଚେର ଅଞ୍ଚଳରେ ମାଟି ଦବିବା ପରି ଘଟଣା ଘଟୁଥିବାରୁ ସହରବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଉଳବେଡା ଭୂଗର୍ଭ କୋଇଲା ଖଣି ଯୋଗୁ କୂଅ ଦବି ଯାଇଥିବା ଘର ମାଲିକ ଗୁରୁବକ୍ସ ଉପଜିଲାପାଳଙ୍କ ଠାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।
ପ୍ରାୟ ୨୦ ବର୍ଷ ତଳେ ଖୋଳାଯାଇଥିବା ଏହି କୂଅ ଗୁରୁବକ୍ସଙ୍କ ଘର ଅଗଣାରେ ଥିଲା। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଏକ ଜୋରଦାର ଶବ୍ଦ ହୋଇଥିଲା। ଗୁରୁବକ୍ସଙ୍କ ପରିବାର ଲୋକେ ଅଗଣାକୁ ଆସିବା ପରେ କୂଅ ପ୍ରାୟ ୧୦ ଫୁଟ ଦବି ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ଖବରପାଇ ବୁଧବାର ସହକାରୀ ଜିଲାପାଳ ସୁବାସ ଚନ୍ଦ୍ର ପ୍ରଧାନ, ଗୌରୀ ନାଏକ ଘଟଣାସ୍ଥଳ ପରିଦର୍ଶନ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, କୂଅ ଦବିବା ଘଟଣାର ତଦନ୍ତ ପାଇଁ ତାଳଚେର ଏରିଆ ଜେନେରାଲ ମ୍ୟାନେଜରଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତାଙ୍କର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହା ଏକ ପୁରୁଣା କୂଅ ଓ ନନ୍ଦଗୁଡିକ ମଧ୍ୟରେ ଫାଙ୍କ ଥିବାରୁ ଦବି ଯାଇଛି ବୋଲି ଖଣି କର୍ତ୍ତୃପକ୍ଷ କହିଥିବା ଉପଜିଲାପାଳ ପ୍ରକାଶ କରିଛନ୍ତି।