ବଇଣ୍ଡା, ୪।୭- ଜୁନ ୬ ତାରିଖ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାପୀଠ। ସ୍କୁଲର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ ପବନରେ ଉଡିଯିବା ସହ ଭାଙ୍ଗି ରୁଜି ଯାଇଥିଲା। ଇତି ମଧ୍ୟରେ ଖରାଛୁଟି ସରି ସ୍କୁଲ ଆରମ୍ଭ ହୋଇଗଲାଣି। ହେଲେ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ମରାମତି କରାଯାଇ ନ ଥିବାରୁ ସେଠାରେ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ। ଫଳରେ ବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ବାଳକ ଛାତ୍ରାବାସରେ ଚାଲିଛି ପାଠପଢା। ଛାତ୍ରାବାସର ଶୟନ କକ୍ଷରେ ନବମ ଓ ଦଶମ ଶ୍ରେଣୀର ୨୨୩ ଛାତ୍ରୀଛାତ୍ର ବହୁ ଅସୁବିଧାରେ ବସି ପଢୁଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୮୯ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହି ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟରେ ଟାଇଲ ଛପର କରାଯାଇଥିଲା। ଏହାପରେ ଟାଇଲ ବଦଳାଇ ଶ୍ରେଣୀଗୃହରେ ଛାତ ପକାଇବା ପାଇଁ ଦାବି ହୋଇଥିଲା। ୨୦୧୭-୧୮ରେ ଆଠମଲ୍ଲିକର ତତ୍କାଳୀନ ବିଧାୟକ ସଞ୍ଜୀବ ସାହୁଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ଛାତ ଘର ପରିବର୍ତ୍ତେ ଟାଇଲ ଉଠାଇ ଆଜବେଷ୍ଟସ ପକାଯାଇଥିଲା। ଏହି କାମରେ ପୁରୁଣା ସାମଗ୍ରୀର ବ୍ୟବହାର ସହ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ ୨୧ରେ ଖରାଛୁଟି ସରିବା ପରେ ଶିକ୍ଷାଦାନ ଆରମ୍ଭ ହୋଇଛି। ହେଲେ ଛାତ୍ରୀଛାତ୍ରମାନେ ଛାତ୍ରାବାସରେ ପାଠ ପଢୁଛନ୍ତି। ପିଲାମାନେ ଦିନରେ ଛାତ୍ରବାସରେ ପଢି ରାତିରେ ସେଠାରେ ଶୋଉଛନ୍ତି। ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ବିଧାୟକ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପେଡ଼ିପଥର ଗ୍ରାମବାସୀ ଦାବି କରିଛନ୍ତି। ଛାତ୍ରୀ କାଦମ୍ବିନୀ ସ୍ବାଇଁ, ଶୁଚିସ୍ମିତା ସାହୁ, ଛାତ୍ର ଶାଶ୍ୱତ ସାହୁ, ଉତ୍ତମ ପ୍ରଧାନ ପ୍ରମୁଖ କହିଛନ୍ତି, ୧୨ଦିନ ହେବ ଠିକ୍ ଭାବେ ପଢା ଯାଇପାରୁନାହିଁ। ଗରମ, ଗୁଳୁଗୁଳିରେ ଏତେ ସଂଖ୍ୟାରେ ଛାତ୍ରୀଛାତ୍ର ସେଠାରେ ପାଠ ପଢିବା କଷ୍ଟକର ହେଉଛି।
ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ କହିଛନ୍ତି, ଛପର ଉଡ଼ିଯାଇଥିବା ଯୋଗୁ ସ୍କୁଲରେ ପାଠପଢାରେ ବହୁ ଅସୁବିଧା ସୃଷ୍ଟି ହେଉଛି। ଶ୍ରେଣୀଗୃହ ମରାମତି ପାଇଁ ଆଠମଲ୍ଲିକ ବିଡିଓ, ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶ୍ରେଣୀଗୃହ ମରାମତି ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଏଲ୍ .ମାରାଣ୍ଡିଙ୍କୁ ପଚାରିବାରେ ନିମ୍ନମାନର କାର୍ଯ୍ୟ ହୋଇନାହିଁ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ଏ ନେଇ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କୁହନ୍ତି, ମରାମତିର କିଛି ମାସ ପରେ ଆଜବେଷ୍ଟସ ଉଡିଯାଇଛି। ବ୍ଲକ ପ୍ରଶାସନଠାରେ ଅଭିଯୋଗ ହେବା ପରେ ବ୍ଲକ ପକ୍ଷରୁ ମରାମତି ପାଇଁ ବ୍ୟୟ ଅଟକଳ କରାଯାଇଛି। ଖୁବଶୀଘ୍ର ଏହି ବିଦ୍ୟାଳୟ ମରାମତି କରାଯିବ।