ଜନସ୍ବାସ୍ଥ୍ୟରେ ଜନ ସହଯୋଗ

ଡା. ଅଂଶୁମାନ କର
ଜନସ୍ବାସ୍ଥ୍ୟର ଚାରୋଟି ମୂଳ ଆଧାର ହେଲା- ୧. ଜନସ୍ବାସ୍ଥ୍ୟ ସୁରକ୍ଷା, ୨. ଜନସ୍ବାସ୍ଥ୍ୟ ନୀତି, ୩. ରୋଗ ନିରାକରଣ ଅନୁସନ୍ଧାନ, ୪. ଜନସ୍ବାସ୍ଥ୍ୟ ଶିକ୍ଷା। ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ନୀତି ଉପରେ ଆଜିକାଲି ଖୁବ୍‌ ପ୍ରାଧାନ୍ୟ ଦିଆଯାଉଛି, ମାତ୍ର ଯେ ପର୍ଯ୍ୟନ୍ତ ଆମର ଅନୁସନ୍ଧାନ, କ୍ଷମତା ଓ ଜନଶିକ୍ଷାର ଉନ୍ନତି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟର ସଫଳ ରୂପାୟନ ସମ୍ଭବ ନୁହେଁ। ନିଜର ସ୍ବଳ୍ପ ସମୟର ଡାକ୍ତରୀ ବୃତ୍ତି ଭିତରେ ଅନୁଭବ କରିଥିବା କିଛି ଦୃଷ୍ଟାନ୍ତ ଦ୍ୱାରା ପ୍ରସଙ୍ଗଟି ଆଗକୁ ନେବାକୁ ଚେଷ୍ଟା କରୁଛି।
୨୦୧୬ରେ ଡାକ୍ତରୀ ଡିଗ୍ରୀ ପାଇଲା ପରେ ୨ ବର୍ଷ କାଳ ଭାରତର ଏକ ଖ୍ୟାତନାମା ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲି ଦିଲ୍ଲୀରେ। ଏହି ସମୟରେ ପୁସ୍ତକ ଓ ପୁସ୍ତକ ବାହାରେ ପଢ଼ିଥିବା ଅନେକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀର ଜ୍ଞାନ ଓ କୌଶଳ ପ୍ରାପ୍ତ କରିବାର ସୁଯୋଗ ମିଳିଲା। ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ମିଳୁଥିବା ସ୍ବାସ୍ଥ୍ୟସେବାକୁ ଖୁବ୍‌ ନିକଟରୁ ଦେଖିଲି। ଏହି ସମୟରେ ଆରମ୍ଭ ହେଇଥିଲା ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟ ଯୋଜନା- ଆୟୁଷ୍ମାନ ଭାରତ। ଏହା ଏକ ଯୁଗାନ୍ତକାରୀ ପରିକଳ୍ପନା, ମାତ୍ର ଏହାର ସମ୍ପୂର୍ଣ୍ଣ ଲାଭ କ’ଣ ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁଛି? ଉପଯୁକ୍ତ ପ୍ରଚାର ପ୍ରସାର ହେଲେ ଲୋକେ ଏହି ଯୋଜନା ବିଷୟରେ ଜାଣିପାରିବେ। ମାତ୍ର ଏକବିଂଶ ଶତାବ୍ଦୀରେ ମଧ୍ୟ ଯେଉଁ ଜାଗାରେ ଟେଲିଫୋନ ତାରଟିଏ ନାହିଁ ସେଠି ଆୟୁଷ୍ମାନ ଭାରତ କ’ଣ, ବିଜୁ ସ୍ବାସ୍ଥ୍ୟ ବି ପହଞ୍ଚି ପାରିବନି।
ଆୟୁଷ୍ମାନ ଭାରତର ବିଶ୍ଳେଷଣ କରି ଏକ ଖବରକାଗଜରେ ଲେଖିଥିଲି-ଆୟୁଷ୍ମାନ ଭାରତର ଆୟୁଷ ଶିକ୍ଷିତ ଭାରତ ଉପରେ ନିର୍ଭର କରୁଛି। ଆଶାତୀତ ଜନ ସମାଗମ ଯୋଗୁ ଦିଲ୍ଲୀ ଆଜି ଏକ ବଡ଼ ସମସ୍ୟା ପାଲଟିଛି। ପ୍ରତିଦିନ ସେଠାକାର ବାୟୁ, ଜଳ ଓ ସ୍ଥଳ ଜୀବନ ଲାଗି ଅନୁପଯୋଗୀ ହୋଇ ଚାଲିଛି। ମୁଁ ନିଜେ ଦିନେ ଏକ ସ୍ବାସ୍ଥ୍ୟ ଶିବିରରେ ଟିବି (ଯକ୍ଷ୍ମା) ଆକ୍ରାନ୍ତ ଏକ ପରିବାରର ଯନ୍ତ୍ରଣା ଦେଖି ଡରିଯାଇଥିଲି। ମା’ଟି ନିଜର ଦୁଃଖ କହିବାକୁ ଯାଇ କହିଲା- ଏ ପିଲାଟି ମୋର ତୃତୀୟ ସନ୍ତାନ। ତା’ ବାପା ଟିବିରେ ଗଲେ। ମୋ ବଡ଼ପୁଅ ବି ଟିବିରେ ଗଲା। ଦ୍ୱିତୀୟ ପୁଅର ଧୀରେ ଧୀରେ ସେଇସବୁ ଲକ୍ଷଣ ଦେଖାଯାଉଛି। ଏବେ ଏଇ ଛୁଆଟିକୁ କ’ଣ କରିବି? ଡାକ୍ତରବାବୁ ମୋତେ ମୁକ୍ତି ଦେଇଦିଅ। ପ୍ରଶ୍ନ କଲି, ଏଠି ଏତେ ଗହଳିରେ କାହିଁକି ରହୁଛ? ନିଜ ଗାଁକୁ ଫେରି ଯାଉନ। ଉତ୍ତର ଆସିଲା- ବାବୁ ଯେତେ ହେଲେ ବି ଗାଁ ଲୋକେ ଜାଣନ୍ତି ଆମେ ଦିଲ୍ଲୀରେ ଅଛୁ। ଏହା ଆମ ଲାଗି ବଡ଼ କଥା।
ଏହି ଉତ୍ତର ମୋତେ କ୍ଷଣକ ଲାଗି କରିଦେଇଥିଲା ଅବାକ୍‌। ଆଜି ମଧ୍ୟ ଆମ ଗାଁ ଗହଳି ଲୋକଙ୍କର ସହରରେ ମିଳୁଥିବା ସୁବିଧା ସୁଯୋଗ ପ୍ରତି ଏକ ଅନ୍ଧ ଆକର୍ଷଣ ଅଛି। କୃଷିପ୍ରଧାନ ଦେଶର କୃଷକ ନିଜ ପୁଅକୁ ଚାଷୀ କରିବାକୁ ଚାହୁଁନି। ସେ ତାକୁ ଡାକ୍ତର, ଅଫିସର, ଇଞ୍ଜିନିୟର, ଓକିଲ ଆଦି କରିବାକୁ ଇଚ୍ଛୁକ। ଏହା ତ ଏକ ବିକାଶଶୀଳ ରାଷ୍ଟ୍ର ଲାଗି ଭଲ କଥା। ତେବେ ଭୁଲ୍‌ ରହିଲା କେଉଁଠି? ଭୁଲ୍‌ ରହିଲା ଆମ ଶିକ୍ଷାର ସ୍ତର ଓ ସୁବିଧାରେ। ପ୍ରଥମେ ଭଲ ଶିକ୍ଷା ପରେ ଭଲ ଚାକିରି ଆଶାରେ ଯୁବକମାନେ ସହର ଅଭିମୁଖୀ ହେଉଛନ୍ତି। ଗାଁରେ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଖୋଲିଲା ସତ ମାତ୍ର ଗାଁ ଲୋକଙ୍କୁ ସେଠାକୁ ଯିବା ଲାଗି ପ୍ରେରିତ କରିବାବାଲା ପାଠୁଆ ଲୋକ ରହିଲେ ସହରରେ। ଅଜ୍ଞ ଲୋକ ଯେ ପର୍ଯ୍ୟନ୍ତ ସାଂଘାତିକ ଭାବେ ରୋଗାକ୍ରାନ୍ତ ନ ହୋଇଛି ସେ ଡାକ୍ତରଖାନା ଯିବନି। ଆଉ ଯେବେ ଯାଏ ତା’ ଲାଗି ଆବଶ୍ୟକ ସ୍ବାସ୍ଥ୍ୟ ସରଞ୍ଜାମ ପ୍ରାଥମିକ କେନ୍ଦ୍ରରେ ଉପଲବ୍ଧ ହୁଏ ନାହିଁ। ଆମ ସମାଜ ବ୍ୟବସ୍ଥାର ଏହା ଏକ ନିରାଟ ସତ୍ୟ। ଯିଏ ଯାହା କହୁ ପଛେ ଏବେ ବି ଅନେକ ସୋପାନ ଚଢ଼ିବାର ଅଛି ଆମକୁ। ସୁତରାଂ ଜନ-ଶିକ୍ଷାର ଏକ ବୃହତ୍‌ ପ୍ରଭାବ ଜନସ୍ବାସ୍ଥ୍ୟ ଉପରେ ଅଛି। ଏକ ଶିକ୍ଷିତ ବ୍ୟକ୍ତି ହିଁ ଏକ ସ୍ବଚ୍ଛ ଓ ସୁସ୍ଥ ଜୀବନକୁ ଆପଣେଇପାରିବ। ଶିକ୍ଷା ଥିଲେ ଦିଲ୍ଲୀରେ ଘର ନୁହେଁ ବରଂ ଘରକୁ ଦିଲ୍ଲୀ କରାଯାଇପାରିବ। ସାଧାରଣରେ ବିଶ୍ୱାସ ଅଛି ଯେ, ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଦେଶର ସବୁଠାରୁ ଉତ୍କୃଷ୍ଟ ସୁଯୋଗ ଅଛି। ମାତ୍ର ଏହା ଏକ ଭ୍ରାନ୍ତ ବିଚାରଧାରା। ଖାଲି ଦିଲ୍ଲୀ କାହିଁକି ଆମ ଭୁବନେଶ୍ୱର ମଧ୍ୟ ଏହି Over urbanisation (ଅତି-ସହରୀକରଣ)ର ଶିକାର ହେଉଛି।
ଦିଲ୍ଲୀରୁ ଆସି ଯେତେବେଳେ ଓଡ଼ିଶାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଏକ ଉପାନ୍ତ ଜଙ୍ଗଲ ଭିତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲି ଡର ଥିଲା ଅନେକ ରୋଗର। ସବୁଠାରୁ ବଡ଼ ଭୟ ଥିଲା ମ୍ୟାଲେରିଆ ପ୍ରତି। କିନ୍ତୁ ବିଗତ ଏକବର୍ଷର ତଥ୍ୟ ଆକଳନ କଲି ଦେଖିବାକୁ ପାଇଲି ଯେ ଏଠାରେ ଆଦୌ ମ୍ୟାଲେରିଆ ନାହିଁ। ମାତ୍ର ଆଜି ଆପଣ ପ୍ରତିଦିନ ଖବରକାଗଜରେ ପଢୁଥିବେ, ଭୁବନେଶ୍ୱରର ଏକ ବସ୍ତିରୁ ଏତିକି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେ। ଥରେ ବିଚାର କରନ୍ତୁ ଏହା କେମିତି ଏକ ବିଚିତ୍ର ପରିସ୍ଥିତି। ରାଜ୍ୟର ରାଜଧାନୀରେ ମଶା ଉପଦ୍ରବ, ମାତ୍ର ରାଜ୍ୟର ଜଙ୍ଗଲରେ ମଶାମାନେ କିଛି କରିପାରୁ ନାହାନ୍ତି! ଏଠି ଆସେ ଜନ-ଶିକ୍ଷାର ଭୂମିକା। ଉନ୍ନତମାନର ଜନଶିକ୍ଷା ବା ଜନସଚେତନତା ହିଁ ଆମର ଜନକଲ୍ୟାଣ କାର୍ଯ୍ୟକ୍ରମର ସଫଳତା ପାଇଁ ମୂଳ ଅସ୍ତ୍ର। ଗାଁ ଲୋକେ ଅଳ୍ପ ପାଠୁଆ। ତେଣୁ ତାଙ୍କୁ ମଶାରି ବଣ୍ଟା ଗଲାରୁ ସେମାନେ ଖୁସି। ଏହାକୁ ନିୟମିତ ବ୍ୟବହାର କଲେ ଓ ଗାଁ ପରିବେଶକୁ ସଫା ରଖିଲେ। ମାତ୍ର ଆମର ସହରୀ ବାବୁମାନେ ତ ବଡ଼ ବଡ଼ ପାଠୁଆ ନା, ମଶାରି ଉପରେ ତର୍ଜମା କରିବେ, ତା’ ପରେ ଯାଇ ବ୍ୟବହାର କରିବେ। ମାତ୍ର ମଶାରି ଆରପଟେ ଥିବା ଜମିଥିବା ପାଣିକୁ ସଫା କରିବେନି। ସେଇଥିରୁ ଜାତ ହୁଅନ୍ତି ମଶାବଂଶ।
ଏପରି ଅନେକ ଉଦାହରଣ ଦିଆଯାଇପାରେ। ମୂଳ କଥା ହେଲା ଆମେ ଆମର ଜନସ୍ବାସ୍ଥ୍ୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା। ଡାକ୍ତର କିମ୍ବା ସରକାର ଚାହିଁଲେ ରାତାରାତି ଭାରତକୁ ସ୍ବଚ୍ଛ ଭାରତ ବା ସୁସ୍ଥ ଭାରତ କରିପାରିବେ ନାହିଁ। ଏହା ଲାଗି ସବୁଠାରୁ ଅଧିକ ଆବଶ୍ୟକ ହେଉଛି ଗୁଣାତ୍ମକ ଶିକ୍ଷା ଓ ସଚେତନତା।
ଅନ୍ୟ ଏକ ଦିଗ ହେଲା ଅନୁଶୀଳନ। ଆଜି ଆମ ପାଖରେ ଯେତିକି ସ୍ବାସ୍ଥ୍ୟ ନୀତି ବା ଯୋଜନା ଅଛି, ଯଦି ଆସନ୍ତା ଏକ ଦଶନ୍ଧି ପର୍ଯ୍ୟନ୍ତ ଆଉ କିଛି ନୂଆ ପ୍ରକଳ୍ପ ନ ଅଣାଯାଏ ତେବେ ମଧ୍ୟ ଭାରତ ବିଶ୍ୱରେ ଏକ ଆଦର୍ଶ ସ୍ବାସ୍ଥ୍ୟସେବାର ମାନଦଣ୍ଡ ହୋଇପାରିବ। ମାତ୍ର ଏହି ଯୋଜନାଗୁଡ଼ିକୁ କେବଳ କାଗଜକଲମରେ ଚାଲୁ ରଖିଲେ କିଛି ହେବନି। ଯକ୍ଷ୍ମା ରୋଗର ଖାଲି ଔଷଧ ବାଣ୍ଟିଦେଲେ ଦେଶ ଯକ୍ଷ୍ମାମୁକ୍ତ ହୋଇ ପାରିବନି। ଏଥିଲାଗି ଆବଶ୍ୟକ ଲୋକଙ୍କ ଜୀବନଶୈଳୀଭିତ୍ତିକ ଅନୁସନ୍ଧାନ। ଯେଉଁଠି ଏକ ସାଧାରଣ ଲୋକର Average Living space ସଂକୁଚିତ ହେଉଛି ସେଠି ଆମେ ତାକୁ କିପରି ବାୟୁ-ଜଳ-ଖାଦ୍ୟଜନିତ ରୋଗରୁ ରକ୍ଷା କରିପାରିବା ତାହା ଦେଖିବା ଦରକାର। ପୁରୁଣା ଓ ନୂଆ ଚିକିତ୍ସା ପ୍ରଣାଳୀକୁ ମିଳିତ ଭାବେ କିପରି ଜନ ଉପଯୋଗୀ କରାଯାଇପାରିବ ସେଥିଲାଗି ଅଧିକ ଗବେଷଣା ଦରକାର। ଉନ୍ନତ ମାନର ଔଷଧ ଓ ଚିକିତ୍ସା ପ୍ରଣାଳୀ କାହିଁକି ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯାଇପାରୁନି ତାହର ତର୍ଜମା ହେବା ଦରକାର। ଆୟୁଷ୍ମାନ ଭାରତ ହେଉ ବା ବିଜୁ ସ୍ବାସ୍ଥ୍ୟ ଯୋଜନା ସମସ୍ତ କାର୍ଯ୍ୟକ୍ରମର ମୂଳରେ ଯେଉଁ ଜନତାଙ୍କୁ ରଖାଯାଇଛି ସେମାନଙ୍କ ଉତ୍ତମ ଶିକ୍ଷା ଓ ସଚେତନତା ଏହି ପ୍ରକଳ୍ପଗୁଡ଼ିକର ସଫଳତାର ବାଟ ପ୍ରଶସ୍ତ କରିବ। ଜନସ୍ବାସ୍ଥ୍ୟ କେବଳ ଡାକ୍ତର ଓ ଡାକ୍ତରଖାନାର ଦାୟିତ୍ୱ ନୁହେଁ, ଏହା ଜନତାର ଭାଗୀଦାରି ଓ ଭାବନାର କେନ୍ଦ୍ର ହେବା ଦରକାର।
ଏନ-୧/୧୮୩, ନୂଆପଲ୍ଲୀ, ଭୁବନେଶ୍ୱର, ମୋ- ୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri