Posted inଜାତୀୟ

ଜନାଦେଶକୁ ଅପେକ୍ଷା

ନୂଆଦିଲ୍ଲୀ,୨୩ା୫(ପି.ଟି./ଆଇଏଏନ୍‌ଏସ୍‌) : ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଆସିବ ସର୍ବବୃହତ୍‌ ଗଣତନ୍ତ୍ରର ଭୋଟ ମହାପର୍ବର ବହୁପ୍ରତୀକ୍ଷିତ ପରିଣାମ। ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ବନ୍ଦ ଥିବା ଜନାଦେଶ ନିର୍ଦ୍ଧାରଣ କରିବ ଭାରତର ଆଗାମୀ ୫ ବର୍ଷର ଭାଗ୍ୟ। ଦେଶର ୫୪୨ ଲୋକ ସଭା ଆସନ ପାଇଁ ଗୁରୁବାର ଭୋଟ ଗଣତି ହେବ। ଭୋଟ ଫଳାଫଳକୁ ନେଇ ଦଳ ଓ ନେତାଙ୍କ ମଧ୍ୟରେ ଯେତିକି ଉତ୍ସୁକତା ଲାଗିରହିଛି, ମତଦାତାଙ୍କ ଭିତରେ ବି ସେତିକି ଉତ୍କଣ୍ଠା ବଢ଼ିଚାଲିଛି। ଶାନ୍ତିଶୃଙ୍ଖଳା ସହ ଗଣତି ସମ୍ପୂର୍ଣ୍ଣ କରିବା ଲାଗି ନିର୍ବାଚନ କମିଶନ (ଇସି) ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପରିଣାମ ଉପରେ ସାରା ଦେଶର ନଜର କେନ୍ଦ୍ରୀଭୂତ ହୋଇରହିଛି। ୨୦୧୯ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ମେ ୧୯ ତାରିଖରେ କରାଯାଇଥିଲା। ମାସେରୁ ଊର୍ଦ୍ଧ୍ୱ ଏହି ଅବଧି ମଧ୍ୟରେ ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ୫୪୨ ଲୋକ ସଭା ଆସନରେ ନିର୍ବାଚନ ହୋଇଥିଲା। ଏହାସହ ଓଡ଼ିଶା ବିଧାନସଭାର ୧୪୭, ଆନ୍ଧ୍ରପ୍ରଦେଶ ୧୭୫, ଅରୁଣାଚଳ ପ୍ରଦେଶ ୬୦ ଓ ସିକିମ ବିଧାନସଭାର ୩୨ ଆସନ ଲାଗି ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା। ସାଧାରଣ ନିର୍ବାଚନରେ ସ୍ବାଧୀନ ସମେତ ବିଭିନ୍ନ ଦଳର ମୋଟ ୮,୦୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୯୦ କୋଟି ଯୋଗ୍ୟ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ନିଜ ପ୍ରତିନିଧିଙ୍କୁ ବାଛି ସାରିଛନ୍ତି, ଯାହାଙ୍କ ଭାଗ୍ୟର ଇଭିଏମ୍‌ ପେଡ଼ି ଗୁରୁବାର ଖୋଲିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି କେନ୍ଦ୍ରଗୁଡ଼ିକରେ ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ତେବେ ଅପରାହ୍ନ ସୁଦ୍ଧା ଜନାଦେଶର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ ବୋଲି ଏକପ୍ରକାର ମନେକରାଯାଉଛି। ଏହା ବ୍ୟତୀତ ୧୮ ଲକ୍ଷ ସର୍ଭିସ ଭୋଟରଙ୍କ ପୋଷ୍ଟାଲ ବାଲଟଗୁଡ଼ିକୁ ସର୍ବପ୍ରଥମେ ଗଣତି କରାଯିବ। ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ବିପୁଳ ଅର୍ଥ କାରବାର ହୋଇଥିବା ଅଭିଯୋଗ ଆସିବା ପରେ ଇସି ସେଠାରେ ନିର୍ବାଚନ ବାତିଲ କରିଥିଲେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥର ପ୍ରଥମଥର ପାଇଁ ସମସ୍ତ ଇଭିଏମ୍‌ରେ ଭୋଟର ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ମେଶିନ ସଂଯୋଗ କରାଯାଇଥିଲା। ଇଭିଏମ୍‌ ଏବଂ ଭିଭିପିଏଟି ମେଶିନଗୁଡ଼ିକୁ ୧୦.୩ ଲକ୍ଷ ପୋଲିଂ ଷ୍ଟେଶନ ମଧ୍ୟରୁ ୨୦,୬୦୦ ଷ୍ଟେଶନରେ ମେଳ କରାଯିବ। ମେଳ ନ ଖାଇଲେ କାଗଜ ସ୍ଲିପ୍‌ ଗଣତିକୁ ଚୂଡ଼ାନ୍ତ ବୋଲି ଧରାଯିବ। ଏହି ମେଳ କରିବାର ପ୍ରକ୍ରିୟା ପାଇଁ ଗଣତିରେ ଅତିରିକ୍ତ ୪ରୁ ୫ ଘଣ୍ଟା ସମୟ ଲାଗିବ । ସଦ୍ୟ ସମାପ୍ତ ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୧୧% ଥିଲା, ଯାହାକି ଭାରତୀୟ ସଂସଦୀୟ ନିର୍ବାଚନ ଇତିହାସରେ ସର୍ବାଧିକ ବୋଲି ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ ଇସିଙ୍କ ପକ୍ଷରୁ କେତେକ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ଗଣତି କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେଇ ଯିବା ଉପରେ ଏଥର କଟକଣା ଜାରି କରାଯାଇଛି। ଭୋଟ ଗଣତି ପରେ ବିଜୟୀ ପ୍ରାର୍ଥୀ ସ୍ଥାନୀୟ ପୋଲିସର ବିନା ଅନୁମତିରେ ବିଜୟ ଶୋଭାଯାତ୍ରା କରିପାରିବେ ନାହିଁ। ସମସ୍ତ ଗଣତି କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ସିଆର୍‌ପିସି ଧାରା ୧୪୪ ଲାଗୁ କରାଯାଇଛି। ସବୁ କେନ୍ଦ୍ରର ସୁରକ୍ଷା ଦାୟିତ୍ୱରେ ଡିଏସ୍‌ପି ପାହ୍ୟାର ଜଣେ ଲେଖାଏ ବରିଷ୍ଠ ପୋଲିସ ଅଧିକାରୀ ରହିବେ। ଠିକ୍‌ ଓ ନିର୍ଭୁଲ ଭାବେ ଗଣତି ସୁନିଶ୍ଚିତ କରିବା ଲାଗି ଗଣତି କେନ୍ଦ୍ରଗୁଡ଼ିକରେ ଜଣେ ଲେଖାଏ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର (ଏଆର୍‌ଓ)ଙ୍କୁ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ମତଦାନ ପରଠୁ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ସ୍ଥାନକୁ ନେଇ ବିବାଦ ଉଠିଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ଇଭିଏମ୍‌ଗୁଡ଼ିକୁ ରାତିରେ ଜଗିବା ପାଇଁ ଅନୁମତି ମିଳିଛି। ଚଣ୍ଡିଗଡ଼ ସମେତ କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ସୋମବାରଠାରୁ ଜଗିରହିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କର ସମସ୍ତ କ୍ୟାବିନେଟ ସହଯୋଗୀ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ସହ କେନ୍ଦ୍ରରେ ସରକାର ଗଠନ ପାଇଁ କସରତ ଆରମ୍ଭ ହେବ। ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ୍‌ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଗଠନ ଲାଗି କୁହୁକ ସଂଖ୍ୟା ୨୭୨ ଅତିକ୍ରମ କରି ପୂର୍ଣ୍ଣ ବହୁମତ ପାଇବ ବୋଲି ଅନେକ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)କୁ ୧୨୭ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଉଭୟ ମେଣ୍ଟରେ ସାମିଲ ନ ଥିବା ଆଞ୍ଚଳିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ୧୧୯ ଆସନ ଦଖଲ କରିବାରେ ସକ୍ଷମ ହେବେ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନ ରବିବାର ପ୍ରକାଶ ପାଇଥିଲା। ତେବେ ବୁଥ୍‌ ଫେରନ୍ତା ମତର ସାମଗ୍ରିକ ଆକଳନ କେତେ ସତ ହେବ ତାହା ଗଣତି ପରେ ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ଭାଜପା ୨୮୩ (କୁହୁକ ସଂଖ୍ୟା ୨୭୨ଠାରୁ ୧୧ ଅଧିକ) ଆସନ ଦଖଲ କରି ୩ ଦଶନ୍ଧି ମଧ୍ୟରେ ପ୍ରଥମ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସେହିପରି ଏନ୍‌ଡିଏକୁ ୩୩୭ ଆସନରେ ସଫଳତା ମିଳିଥିଲା। ବିରୋଧୀ କଂଗ୍ରେସକୁ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri