ଜାମନଗର, ୧୫।୭: ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ୭୭ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତ ୯୨ରନରେ ୬ ଉଇକେଟ ହରାଇଥିବାବେଳେ ଏହି ସମୟରେ ପଡିଆକୁ ଆସିଥିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ସହ ଥିଲେ ମହେନ୍ଦ୍ର ସିଂ ଧୋନୀ। ଜାଡେଜା ଉକ୍ତ ମ୍ୟାଚରେ ୫୯ଟି ବଲରୁ ୭୭ରନର ପାଳି ଖେଳି ଭାରତକୁ ବିଜୟର ନିକଟତର କରିଥିଲେ। କିନ୍ତୁ ସେ ଆଉଟ୍ ହେବାପରେ ଭାରତର ବିଜୟ ଆଶା ମଉଳିଯାଇଥିଲା। କିନ୍ତୁ ତାଙ୍କ ଧୈର୍ଯ୍ୟପୁର୍ଣ୍ଣ ଇନିଂସକୁ ପ୍ରଶଂସା କରିଥିଲେ ପୂର୍ବତନ କ୍ରିକେଟର। ଜାଡେଜାଙ୍କ ପୈତୃକ ଗାଁ ଜାମନଗରର ମହାରାଜା ମଧ୍ୟ ଜାଡେଜାଙ୍କୁ ପ୍ରଶଂସା କରି ଏକ ପତ୍ର ଲେଖିଛନ୍ତି। ଭାରତ ଜିନିପାରି ନ ଥିଲେ ମଧ୍ୟ ତୁମ ଅଲରାଉଣ୍ଡର ପ୍ରଦର୍ଶନ ଆମ ସମସ୍ତଙ୍କୁ ଗର୍ବିତ କରିଛି ବୋଲି ଉକ୍ତ ପତ୍ରରେ ଲେଖାଯାଇଛି।