ସାକ୍ଷୀଗୋପାଳ, ୪।୧୨(ଡି.ଏନ୍.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସାକ୍ଷୀଗୋପାଳ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କୃଷି ସଚେତନତା, ତାଲିମ, ଧାଡିରୁଆ ଧାନଚାଷ, କୃଷି ଯନ୍ତ୍ରପାତି, ବିହନ, କୀଟନାଶକ ଆଦି ସହାୟତା ସମ୍ପର୍କରେ ନଥିପତ୍ର, କ୍ୟାଶବୁକ୍, ବ୍ୟାଙ୍କ ପାସ୍ବୁକ୍ ତନଖି କରିଥିଲେ। ପରେ କ୍ଷେତ୍ର ପରିଦର୍ଶନ କରିବା ସମୟରେ ଚାଷୀମାନେ ସରକାରୀ ସହାୟତା ପାଇଛନ୍ତି କି ନାହିଁ ଏବଂ ଫସଲ କ୍ଷୟକ୍ଷତି ନେଇ ପଚାରି ବୁଝିଥିଲେ। ତେବେ ସରକାରୀ ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବାରୁ କମିଟି ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିରେ କମିଟିର ସଭାପତି କୈଳାସ ଚନ୍ଦ୍ର ପରିଡ଼ା, ସଦସ୍ୟ ମଳୟ କୁମାର ମହାନ୍ତି, ଦେବାଶିଷ ନନ୍ଦ, ଧ୍ରୁବ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।