ଶରତ ଚନ୍ଦ୍ର ମିଶ୍ର
ଆମ ଦେଶରେ ଜିଲା ସ୍ତରରେ ପ୍ରତିନିଧିମୂଳକ ନିର୍ବାଚିତ ସରକାର ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇପାରି ନାହିଁ। ବ୍ରିଟିଶ ବାଣିଜି୍ୟକ ସାମ୍ରାଜ୍ୟବାଦୀଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଯେଉଁ ଶାସନ କଳ ସୃଷ୍ଟି କରାଯାଇଥିଲା, ତାହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଆସିଛି। ସାମ୍ରାଜ୍ୟବାଦର ଲୋପ ପରେ ପ୍ରାୟ ସବୁ ପୂର୍ବ ଉପନିବେଶରୁ ଏ ପ୍ରଥାର ବିଲୋପ ସାଧନ ଘଟିଥିଲେ ମଧ୍ୟ ଭାରତରେ ବଳଶାଳୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହାର ପରିବର୍ତ୍ତନ ଦିଗରେ ଧ୍ୟାନ ଦେଇ ନାହାନ୍ତି। ଏପରିକି ପାକିସ୍ତାନରେ ଜଣେ ନିର୍ବାଚିତ ପ୍ରତିନିଧି (ନାଜିମ) ଜିଲା ଶାସନର ମୁଖ୍ୟ ଓ ଜଣେ ସିଏସ୍ପି (ଆମ ଆଇଏଏସ୍ ଭଳି) ଅଫିସର ତାଙ୍କର କାର୍ଯ୍ୟନିର୍ବାହୀ ମୁଖ୍ୟ।
ଆମ ଜିଲା ମୁଖ୍ୟଙ୍କୁ କଲେକ୍ଟର ଓ ଜିଲା ମାଜିଷ୍ଟ୍ରେଟ କୁହାଯାଏ। ଏ ନାମକରଣର କାର୍ଯ୍ୟାତ୍ମକ ଇତିହାସ ଅଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୬୫ ମସିହାରେ ଦିଲ୍ଲୀ ମୋଗଲ ଦରବାରରୁ ବଙ୍ଗ, ବିହାର ଓ ଓଡ଼ିଶା (ମେଦିନୀପୁର) ଅଞ୍ଚଳର ଦଓ୍ବୋନୀ କ୍ଷମତାପ୍ରାପ୍ତ ହୋଇ ନବାବ ସମୟର ମୁସଲମାନ କର୍ମଚାରୀମାନଙ୍କ ମାଧ୍ୟମରେ ଖଜଣା ଅସୁଲ କଲା। ଖଜଣା ସଂଗ୍ରହରେ ଆଶାନୁରୂପ ବୃଦ୍ଧି ନ ହେବାରୁ ମୁସଲମାନ କର୍ମଚାରୀମାନଙ୍କ କାମ ତଦାରଖ କରିବା ନିମନ୍ତେ ସମସ୍ତ ଅଞ୍ଚଳକୁ ଭାଗକରି ପ୍ରତ୍ୟେକ ଅଞ୍ଚଳ ନିମନ୍ତେ ଜଣେ ଇଂରେଜ ଅଧିକାରୀ ନିଯୁକ୍ତ ହେଲେ। ଏଇ ତଦାରଖକାରୀଙ୍କୁ ନାମିତ କରାଗଲା ସଂଗ୍ରହକାରୀ ବା କଲେକ୍ଟର ଓ ତାଙ୍କ ଅଞ୍ଚଳ ହେଲା ଜିଲା। ଜିଲା ଶାସନର ମୂଳଦୁଆ ସ୍ଥାପନ ହେଲା। ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ କରି ଏକ ଜମିଦାର ଶ୍ରେଣୀ ସୃଷ୍ଟି କରାଗଲା ଓ ସେମାନଙ୍କ ହାତରେ ପୋଲିସ କ୍ଷମତା ସହିତ ପ୍ରଭୁତ କ୍ଷମତା ରହିଲା। ଜମିଦାରମାନେ ଅଧିକ ଖଜଣା ପ୍ରଦାନ କରିବେ ଓ ଖଜଣା ସଂଗ୍ରହରେ ସ୍ଥାୟିତ୍ୱ ଆସିବ ବୋଲି ବେପାରୀ ଇଂରେଜ କମ୍ପାନୀ ଆଶା କରୁଥିଲା। ସେମାନଙ୍କ ମାଲିକ ହେଲେ କଲେକ୍ଟର। ଏଇ କଲେକ୍ଟରଙ୍କ ହାତମୁଠା ଟାଣ କରିବା ନିମନ୍ତେ ଚାର୍ଟର ଆକ୍ଟ ୧୮୩୩ ମସିହାରେ ଜିଲା ଜଜ୍ଙ୍କଠାରୁ ଜିଲା ମାଜିଷ୍ଟ୍ରେଟ କ୍ଷମତା କଲେକ୍ଟରଙ୍କୁ ପ୍ରଦାନ କରାଗଲା। ସେ ହେଲେ କଲେକ୍ଟର ତଥା ଜିଲା ମାଜିଷ୍ଟ୍ରେଟ ଓ କମ୍ପାନୀର ସ୍ଥାନୀୟ ପ୍ରତିନିଧି।
ଜଣେ ଇଂରେଜ ଯୁବକ ନିଜ ଦେଶରେ ଏତେ କ୍ଷମତା ଉପଭୋଗ କରିବାର ଅବସର ନ ଥିଲା। ଆଇସିଏସ୍ ପରୀକ୍ଷା ବ୍ୟବସ୍ଥା ହେଲା ଓ ପ୍ରତିଭାବାନ ଇଂରେଜ ଯୁବକ ଆସି ଏ ଦାୟିତ୍ୱ ଗ୍ରହଣ କରି ଜିଲାରେ ମା’, ବାପା ସରକାରର କ୍ଷମତା ଉପଭୋଗ କଲେ। ସେମାନେ ଜିଲାରେ ବିଚାର ବିଭାଗୀୟ ସହକାରୀ ସେସନ୍ସ ଜଜ୍ କ୍ଷମତା ମଧ୍ୟ ଉପଭୋଗ କରୁଥିଲେ। ଏହି ନିରଙ୍କୁଶ ଶାସନ ୧୯୦୯ ପର୍ଯ୍ୟନ୍ତ ଚାଲିଲା ଓ ମର୍ଲେମିଣ୍ଟୋ ଶାସନ ସଂସ୍ଥା ଓ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍ଥା ଆଦିରେ ଭାରତୀୟମାନେ ଶାସନକଳରେ ପ୍ରବେଶ କଲା ପରେ ଏବଂ ୧୯୨୧ରେ ଦ୍ୱୈତ ଶାସନରେ ମନ୍ତ୍ରୀ ହେଲା ପରେ ମଧ୍ୟ କଲେକ୍ଟରଙ୍କ ପ୍ରାଧାନ୍ୟ ହ୍ରାସ ପାଇ ନ ଥିଲା।
ପ୍ରାଦେଶିକ ସରକାରମାନେ ୧୯୩୫ ଭାରତ ଶାସନ ଆଇନ ଅନୁଯାୟୀ କେତେକାଂଶରେ ସ୍ବତନ୍ତ୍ରତା ଲାଭ କଲେ। କଲେକ୍ଟରମାନେ ଆଉ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ପ୍ରତିନିଧି ନ ହୋଇ କେବଳ ପ୍ରାଦେଶିକ ସରକାରଙ୍କ ପ୍ରତିନିଧି ହେଲେ। ଆୟକର, ଡାକ ତାର ବିଭାଗ ଓ କଷ୍ଟମ୍ସ ଭଳି କେନ୍ଦ୍ର ସରକାରଙ୍କ ବିଭାଗ ଉପରେ କଲେକ୍ଟରଙ୍କର କର୍ତ୍ତୃତ୍ୱ ରହିଲା ନାହିଁ। ୧୯୩୭ ମସିହା ପରଠାରୁ ନିର୍ବାଚିତ ମନ୍ତ୍ରୀମାନଙ୍କ ଅଧୀନରେ କଲେକ୍ଟରମାନେ ଅନିଚ୍ଛା ଓ ଅନାଗ୍ରହ ସହିତ କାର୍ଯ୍ୟ କରିବାକୁ ବାଧ୍ୟ ହେଲେ। ଦ୍ୱିତୀୟ ମହାଯୁଦ୍ଧ ସମୟରେ ଯୁଦ୍ଧ ଚାନ୍ଦା ଆଦାୟ ଭଳି ଅସମ୍ମାନଜନକ କାର୍ଯ୍ୟରେ ସରକାର କଲେକ୍ଟରମାନଙ୍କୁ ଉପଯୋଗ କରିଥିଲେ।
ଦେଶ ସ୍ବାଧୀନ ହେଲା। ସମ୍ବିଧାନ ପ୍ରଣୟନ ହେଲା। ସମ୍ବିଧାନରେ ଜିଲା ଶାସନର କୌଣସି ପରିବର୍ତ୍ତନର ବ୍ୟବସ୍ଥା ରହିଲା ନାହିଁ। ଦେଶରେ ଚାରିପ୍ରକାର ଶାସନ ସମାନ୍ତରାଳ ଭାବେ ଚାଲିଲା। କେନ୍ଦ୍ର ଓ ରାଜ୍ୟରେ ଲୋକ ପ୍ରତିନିଧି ଶାସନ, ଜିଲାରେ କଲେକ୍ଟର/ଏସ୍ପିଙ୍କ ମା’ ବାପା ସରକାର ଓ ତୃଣମୂଳ ସ୍ତରରେ ଥାନାଦାର, ତହସିଲଦାର, ଫରେଷ୍ଟ ରେଞ୍ଜରଙ୍କ ଶାସନ ଅବ୍ୟାହତ ରହିଲା। ଫଳତଃ ଦରିଦ୍ର ଗ୍ରାମବାସୀ ଓ ବନବାସୀମାନେ ସ୍ବାଧୀନତାର ସ୍ବାଦ ପାଇପାରିଲେ ନାହିଁ।
ସ୍ବାଧୀନତା ପରେ ଅନେକ ପରିବର୍ତ୍ତନ ଅବଶ୍ୟ ଆସିଛି। ବିଚାର ବିଭାଗ ଅଲଗା ହେବାରୁ କଲେକ୍ଟରଙ୍କ ଆଉ ସହକାରୀ ସେସନ୍ସ ଜଜ୍ କ୍ଷମତା ରହିଲାନି ଓ ଅଳ୍ପ କିଛି ମାଜିଷ୍ଟ୍ରେଟ କ୍ଷମତା ରହିଲା, ଯାହା ଫୌଜଦାରି ଦଣ୍ଡବିଧି ଆଇନ ୧୯୭୩ରେ ପ୍ରାୟତଃ ଶେଷ ହୋଇଗଲା। ଜିଲା ମାଜିଷ୍ଟ୍ରେଟଙ୍କୁ ଜଣେ ବିଚାରକ ଭାବେ ଗଣନା କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଏକସ୍ତରିଟି ନଗର ଅଞ୍ଚଳରେ ପୋଲିସ କମିଶନର ବ୍ୟବସ୍ଥା ଚାଲୁ ହେଲାଣି। ସେ ବ୍ୟବସ୍ଥାରେ ପୋଲିସ କମିଶନର ଅଞ୍ଚଳରେ ଜିଲା ମାଜିଷ୍ଟ୍ରେଟ ନ ଥାନ୍ତି। ତେଣୁ କଲେକ୍ଟରଙ୍କୁ ଆଉ ଜିଲା ମାଜିଷ୍ଟ୍ରେଟ କହିବାର କୌଣସି ଯଥାର୍ଥତା ନାହିଁ। ଦ୍ୱିତୀୟରେ ଅନେକ ରାଜ୍ୟରେ ଭୂ-ରାଜସ୍ବ ଉଚ୍ଛେଦ ହୋଇଛି ଓ ଯେଉଁମାନଙ୍କରେ ଅଛି ତାହା ରାଜସ୍ବର ଏକ ନଗଣ୍ୟ ଭାଗ। ଏବେ ସରକାରଙ୍କ ପ୍ରକୃତ ରାଜସ୍ବ କର୍ମଚାରୀ ହେଲେ ଆୟକର, କଷ୍ଟମ୍ସ, ଜିଏସ୍ଟି ଆଦାୟକାରୀ, ପରିବହନ ଓ ଖଣି ଆଦିର କର୍ମଚାରୀମାନେ। କଲେକ୍ଟର ଆଉ ରାଜସ୍ବ ସଂଗ୍ରହ କରୁନାହାନ୍ତି। ସେ ବର୍ତ୍ତମାନ ଜିଲା ବିକାଶ ଅଧିକାରୀ ଓ ଜିଲା ସ୍ତରରେ ସମନ୍ବୟକାରୀ। ଏ ବାସ୍ତବତାକୁ ଉପଲବ୍ଧି କରି ଜିଲା ଶାସନରେ ପରିବର୍ତ୍ତନ ଆବଶ୍ୟକ।
ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଶାସନ ପ୍ରବର୍ତ୍ତନ ସତ୍ତ୍ୱେ ଲୋକପ୍ରତିନିଧିଙ୍କୁ ପ୍ରକୃତ କ୍ଷମତା ହସ୍ତାନ୍ତର କରାଯାଇନାହିଁ। ଯେଉଁ ଇଂରେଜମାନଙ୍କର ନିଜ ଦେଶରେ ଜିଲା ସ୍ତରରେ ନିର୍ବାଚିତ କାଉଣ୍ଟି କାଉନସିଲ ଅଛି, ସେମାନେ ଏ ଦେଶରେ ଅଧିକ କର ଆଦାୟ ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରିଥିଲେ। ଫ୍ରାନ୍ସରେ ମଧ୍ୟ ଜିଲା ସ୍ତରରେ ପ୍ରିଫେକ୍ଟ ନିର୍ବାଚିତ ହୁଅନ୍ତି। ଆମର ଜିଲା ସ୍ତରରେ ନିର୍ବାଚିତ ସରକାର ଗଠନ ହେଲେ, ତାଙ୍କ ଅଧୀନରେ ଜଣେ ଆଇଏଏସ୍ ଅଫିସରଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତ କରାଯାଇପାରନ୍ତା। ସ୍ଥାନୀୟ ନିର୍ବାଚିତ ଜିଲା ମୁଖ୍ୟ ଜିଲାର ବିକାଶ ଦିଗରେ ଅଧିକ ଦୃଷ୍ଟି ଦେଇପାରିବେ ଓ ଜିଲାବାସୀଙ୍କ ପାଖରେ ଉତ୍ତରଦାୟୀ ରହିବେ। ବର୍ତ୍ତମାନ ସ୍ଥାନୀୟ ପ୍ରତିନିଧିମାନଙ୍କୁ ଜିଲା ଶାସନରେ ଅଂଶୀଦାର କରାଯାଉ ନ ଥିବାରୁ ସେମାନେ ଅପ୍ରତ୍ୟକ୍ଷ ଭାବରେ ନିଜର ରାଜନୈତିକ ପ୍ରଭାବ ବିସ୍ତାର କରି କ୍ଷମତା ପାଇବାକୁ ଉଦ୍ୟମ କରୁଛନ୍ତି, ଯାହାର ଅନ୍ୟ ନାମ ହେଲା ରାଜନୈତିକ ହସ୍ତକ୍ଷେପ। ବର୍ତ୍ତମାନ ଶାସକ ଦଳର ରାଜନୈତିକ ବ୍ୟକ୍ତିମାନେ ଜିଲା ଶାସନରେ ପ୍ରଭାବ ବିସ୍ତାର କରୁଛନ୍ତି କିନ୍ତୁ ତାଙ୍କର ଉତ୍ତରଦାୟିତ୍ୱ ରହୁନାହିଁ। ନିର୍ବାଚିତ ହୋଇ ଶାସନ କଲେ ଉଭୟ କ୍ଷମତା ଓ ଦାୟିତ୍ୱ ରହିବ। ଜିଲା ଶାସନରେ ଅଭିଜ୍ଞତା ଅର୍ଜନ କରି ପାକଳ ହୋଇ ରାଜ୍ୟସ୍ତରକୁ ଆସିବେ। ଆନ୍ଦୋଳନ ମାଧ୍ୟମ ଭଳି ନକାରାତ୍ମକ ପନ୍ଥା ତ୍ୟାଗ କରି ନିମ୍ନସ୍ତରରୁ ନିର୍ବାଚିତ ହୋଇ ଶାସନର ଅଭିଜ୍ଞତା ଲାଭ କରି ସକାରାତ୍ମକ ପନ୍ଥାରେ ଶାସନର ଉଚ୍ଚ ସ୍ତରକୁ ଆସିଲେ, ଉତ୍ତମ ଶାସକ ହେବେ।
ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲାରୁ ପ୍ରାୟ ୪୦ ଭାଗ ଜିଲାରେ ଡାଇରେକ୍ଟ ନିଯୁକ୍ତ ଆଇଏଏସ୍ କଲେକ୍ଟର ଅଛନ୍ତି। ସେମାନେ ଅଧିକାଂଶ ଓଡ଼ିଶା ବାହାରର ଲୋକ। ଥରଟିଏ କଲେକ୍ଟର ହୋଇଗଲେ କିଛିକାଳ ଭୁବନେଶ୍ୱରରେ ଅବସ୍ଥାପିତ ହୋଇ ଅଧିକାଂଶ କେନ୍ଦ୍ରକୁ ଡେପୁଟେଶନରେ ଯିବେ ଓ ଅବସର ଗ୍ରହଣ ପରେ ଦିଲ୍ଲୀ ବା ନିଜ ରାଜ୍ୟରେ ବସବାସ କରିବେ। ନିଜ ଜିଲାରେ କଲେକ୍ଟର ଭାବରେ କ’ଣ ସବୁ ଯୋଜନା କରିଥିଲେ ତାହାର ରୂପାୟନ ଦେଖିବାର ଓ ଜାଣିବାର ଅବକାଶ ନାହିଁ କି ଜିଲାବାସୀଙ୍କ ପାଖରେ ସେ ଉତ୍ତରଦାୟୀ ନୁହନ୍ତି। କେତେକ ଓଏଏସ୍ ଅଫିସର ମଧ୍ୟ କଲେକ୍ଟର ଭାବେ ଅବସ୍ଥାପିତ ହେଉଛନ୍ତି। ତାଙ୍କ ପ୍ରାଧାନ୍ୟକୁ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ମାନସିକ ସ୍ତରରେ ଗ୍ରହଣ କରନ୍ତି ନାହିଁ। ସରକାର ଗୁରୁତ୍ୱପୂର୍ଣ୍ଣ ଓ ସମସ୍ୟାବହୁଳ ଜିଲାଗୁଡ଼ିକରେ ପ୍ରାୟ ପ୍ରମୋଟେଡ ଆଇଏଏସ୍ ଅଫିସର ନିଯୁକ୍ତ କରନ୍ତି। ଏଇ ଅଫିସରମାନେ ବୟସାଧିକ୍ୟ ଯୋଗୁ ଶାସନକଳର ସର୍ବୋଚ୍ଚ ସ୍ତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳତଃ ସେମାନଙ୍କ ଅଭିଜ୍ଞତାର ପୂର୍ଣ୍ଣ ଉପଯୋଗ ସରକାରୀ ସ୍ତରରେ ହୁଏନାହିଁ ଓ ଯେଉଁ ଡାଇରେକ୍ଟ ଆଇଏଏସ୍ମାନେ ପରବର୍ତ୍ତୀ ପ୍ରମୁଖ ଶାସନ ସଚିବ ଭଳି ଦାୟିତ୍ୱସମ୍ପନ୍ନ ପଦରେ ଆସୀନ ହୁଅନ୍ତି ସେମାନଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଜିଲାର ଅଧିକାରୀ ହେବାର ଅଭିଜ୍ଞତା ନ ଥାଏ।
କେତେକେ ଯୁକ୍ତି କରନ୍ତି ଯେ, ଲୋକପ୍ରତିନିଧି ଜିଲା ଶାସନ ଚଳାଇପାରିବେ ନାହିଁ। ଏ ଯୁକ୍ତି ଅଳୀକ। ନିର୍ବାଚିତ ରାଜନୈତିକ ବ୍ୟକ୍ତି ଯଦି ଦେଶରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି ସେ ଜିଲାମୁଖ୍ୟ ହୋଇପାରିବେନି ବୋଲି କହିବାରେ କୌଣସି ଯଥାର୍ଥତା ନାହିଁ। ଦେଶରେ ଏକାଧିକ ଶାସନ ସଂସ୍କାର କମିଶନ ବସିଥିଲେ ମଧ୍ୟ ଜିଲା ଶାସନ ପଦ୍ଧତି ପରିବର୍ତ୍ତନ ନେଇ କେହି ସୁପାରିସ କରିନାହାନ୍ତି। କାରଣ ଆଇଏଏସ୍ ଗୋଟିଏ ଅତ୍ୟନ୍ତ ପ୍ରଭାବଶାଳୀ ଓ ଶକ୍ତିଶାଳୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏବଂ ଦେଶର ସମସ୍ତ କ୍ଷମତାର ଅଧିକାରୀ। ସେମାନଙ୍କ ପରାମର୍ଶ ଉପରେ ରାଜନୈତିକ ପ୍ରଭୁମାନେ ଅତ୍ୟନ୍ତ ନିର୍ଭରଶୀଳ। ଆଇଏଏସ୍ ଅଧିକାରୀଙ୍କ କ୍ଷମତାର ସଂକୋଚନ ସେମାନେ କେବେ କରାଇ ଦେବେ ନାହିଁ। ଏଥି ନିମନ୍ତେ ନାଗରିକ ସମାଜ ଓ ରାଜନୈତିକ ଦଳମାନେ ସମୂହ ଭାବରେ ଉଦ୍ୟମ କଲେ ହୁଏତ ସଫଳକାମ ହୋଇପାରନ୍ତି।
ମୋ-୯୯୩୭୪୨୨୫୨୧