ଖଡିଆଳ,୨୨।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ବିଦ୍ୟାଳୟଠାରେ ଓଡିଶା ସରକାରଙ୍କ ଟିଇଆଣ୍ଡ ଏସସିଇଆରଟି ତରଫରୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା ସୃଷ୍ଟି କରିବା ପାଇଁ ଜିଲାସ୍ତରୀୟ ୟୁଥ ପାର୍ଲାମେଣ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏବଂ ଜିଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଚାରକ ଭାବେ ଶିକ୍ଷାବିତ ନବୀନ କିଶୋର ପାଢ଼ୀ ଏବଂ ସତିଶ କୁମାର ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ । ବିଦ୍ୟାଳୟ ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲାର ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସଂସଦ ଓ ବିଧାନସଭା ସମ୍ପର୍କିତ କୁଇଜ ଏବଂ ବକୃତା ପ୍ରତିଯୋଗୀ ହୋଇଥିଲା । ଏଥିରେ ଭୁଲିଆଁସିକୁଆ ଉଚ୍ଚ ବିଦ୍ୟାଳୟ ଛାତ୍ର ଦେବେନ୍ଦ୍ର ମେହେର ପ୍ରଥମ, ସିନାପାଲି ଉଚ୍ଚ ବିଦ୍ୟାଳୟ ଛାତ୍ର ଆୟୁଷ କଶ୍ୟାପ ଦ୍ୱିତୀୟ ଏବଂ ବସ୍ତ୍ରାୟଗି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଜଜ୍ଞସିନୀ ଗଉଡ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଆଗାମୀ ଦିନରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଦେବେନ୍ଦ୍ର ମେହେର ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ମହୁଲପଡା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମହେଶ କୁମାର ତିୱାରୀ, କୁମ୍ଭ କଟା, ପ୍ରଣବ କୁମାର ପାତ୍ର, ନରେନ୍ଦ୍ର କୁମାର ନାୟକ, ଶିବପ୍ରସାଦ ସାହୁ, କୃପାସିନ୍ଧୁ ମେହେର, ଆଦିତ୍ୟ ନାରାୟଣ ପଣ୍ଡା, ଦୀନନାଥ ସାହୁ, ଦୀନକୃଷ୍ଣ କ୍ଷେତ୍ରୀ, ବିଭୂ ଚରଣ ସାହୁ, ହୃଷିକେଶ ନାୟକ, ଆଶିଷ କୁମାର ସା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।