ଜୀବନ ଆଶାରେ ମରଣ ମୁହଁରେ:ଆମେରିକା- ମେକ୍ସିକୋ ସୀମା ରିଓ ଗ୍ରାଣ୍ଡେ ନଦୀରେ ଭାସିଗଲେ ଶରଣାର୍ଥୀ ଓ ୨୩ ମାସର ଝିଅ

ସିଉଡାଡ୍‌ ଭିକ୍ଟୋରିଆ/ଓ୍ବାଶିଂଟନ,୨୮।୬:ମେକ୍ସିକୋ ସୀମାରେ ଆମେରିକୀୟ ସେନା ମୁତୟନ ଓ ଶରଣାର୍ଥୀଙ୍କ ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଡ଼ା ଆଭିମୁଖ୍ୟକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଏହାର କାରଣ ପାଲଟିଛି ଏହି ହୃଦୟ ବିଦାରକ ଚିତ୍ର। ଫଟୋଟି ଜଣେ ପିତା ଓ ତାଙ୍କ ଝିଅଙ୍କର, ଯାହାଙ୍କ ମୃତଦେହ ବୁଧବାର ଆମେରିକା-ମେକ୍ସିକୋ ସୀମାନ୍ତ ରିଓ ଗ୍ରାଣ୍ଡେ ନଦୀକୂଳରେ ମିଳିଛି। ଓସ୍କାର ଆଲବର୍ଟୋ ମାର୍ଟିନେଜ୍‌ ରେମିରେଜ୍‌ଙ୍କ କଳା ଟି-ଶାର୍ଟ ଉପରକୁ ଉଠିଯାଇଥିବାବେଳେ ଝିଅ ଉଲେରିଆ ତା’ ଭିତରେ ଛନ୍ଦିହୋଇ ରହିଛନ୍ତି। ଉଲେରିଆଙ୍କ ହାତ ଓସ୍କାରଙ୍କ ବେକ ଉପରେ ରହିଛି। ସତେଯେମିତି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶିଶୁକନ୍ୟା ନିଜ ବାପାଙ୍କ ସହିତ ରହିବାକୁ ଚାହିଁଥିଲେ। ଉତ୍ତମ ଜୀବନ ଜିଇଁବା ଆଶାରେ ମେକ୍ସିକୋରୁ ଆମେରିକାକୁ ଯାଉଥିବା ଶରଣାର୍ଥୀମାନେ କିପରି ମରଣ ମୁହଁରେ ପଡ଼ି ପ୍ରାଣ ହରାଉଛନ୍ତି, ତା’ର ଏକ ନିଷ୍ଠୁର ସତ୍ୟତା ବ୍ୟକ୍ତ କରୁଛି ଏହି ବହୁଚର୍ଚ୍ଚିତ ଛବି। ମେକ୍ସିକୋର ଏକ ଖବରକାଗଜରେ ଏହା ପ୍ରକାଶିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଏହାକୁ ନେଇ ଟ୍ରମ୍ପ୍‌ଙ୍କ ଯୁକ୍ତି ବିବାଦ ସୃଷ୍ଟି କରିଛି।
ଏଲ୍‌-ସାଲ୍‌ଭାଡର ନିବାସୀ ୨୫ ବର୍ଷୀୟ ଓସ୍କାର ଓ ତାଙ୍କର ୨୧ ବର୍ଷୀୟା ସ୍ତ୍ରୀ ତାନିଆ ଭନେସା ଆଭାଲୋସ୍‌ ମେକ୍ସିକୋର ଡିଟେନ୍‌ଶନ୍‌ ସେଣ୍ଟର(ଶରଣାର୍ଥୀ ଶିବିର)ରେ ରହୁଥିଲେ। ସେମାନେ ସରକାରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ନୂଆ ଜୀବନ ବିତାଇବା ଆଶାରେ ଆମେରିକା ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ ତାଙ୍କର ୨୩ ମାସର ଝିଅ ଉଲେରିଆଙ୍କୁ ନେଇ ରବିବାର ଅପରାହ୍ନରେ ମେକ୍ସିକୋରୁ ଆମେରିକା ଯାଉଥିଲେ। ମେକ୍ସିକୋର ମାଟାମୋରୋସ୍‌ ଏବଂ ଟେକ୍ସାସ୍‌ର ବ୍ରାଉନ୍ସଭିଲ୍ଲା ମଧ୍ୟଦେଇ ପ୍ରବାହିତ ରିଓ ଗ୍ରାଣ୍ଡେ ନଦୀର ପ୍ରବାହରେ ବାପଝିଅ ଭାସିଯାଇଥିବାବେଳେ ଓସ୍କାରଙ୍କ ସ୍ତ୍ରୀ ବର୍ତ୍ତିଯାଇଛନ୍ତି। ସେ ନଦୀକୂଳରେ ପହଞ୍ଚତ୍ଛନ୍ତି। ଦୁଇ ମୃତଦେହ ତାମାଉଲିପସ୍‌ ରାଜ୍ୟର ମାଟାମୋରୋସ୍‌ରେ ମିଳିଥିଲା। ବାପଝିଅଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏଲ୍‌-ସାଲ୍‌ଭାଡର ଏବଂ ମେକ୍ସିକୋରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ମେକ୍ସିକୋର ବାମପନ୍ଥୀ ନେତା ଆନ୍ଦ୍ରେସ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର ଶରଣାର୍ଥୀଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଶପଥ ନେଇ ୨୦୧୮ ଡିସେମ୍ବରରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଶରଣାର୍ଥୀଙ୍କ ପ୍ରତି ତାଙ୍କର ବ୍ୟବହାର ଓ ଆଭିମୁଖ୍ୟକୁ ନେଇ ଏବେ କଡ଼ା ସମାଲୋଚନା କରାଯାଉଛି। ଆମେରିକା ସୀମାରେ ମେକ୍ସିକୋର ୧୫,୦୦୦ ସୈନ୍ୟ ମୁତୟନ ହୋଇଛନ୍ତି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚାପ ଯୋଗୁ ଓବ୍ରାଡର ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା କୁହାଯାଉଛି।
ଗ୍ରାଣ୍ଡେ ନଦୀକୂଳରେ ବାପଝିଅଙ୍କ ମୃତଦେହ ଭାସୁଥିବା ଫଟୋ ୩ ବର୍ଷୀୟ ଆୟଲାନ୍‌ କୁର୍ଦ୍ଦିଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି, ଯାହାଙ୍କ ମୃତଦେହ ୨୦୧୫ରେ ତୁର୍କୀର ସମୁଦ୍ରକୂଳରେ ମିଳିଥିଲା। ସେତେବେଳେ ଶରଣାର୍ଥୀଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବାକୁ ବିଶ୍ୱ ସମୁଦାୟକୁ ଅନୁରୋଧ କରାଯାଇଥିଲା। ଏପରି କି ଜାତିସଂଘରେ ମଧ୍ୟ ଏହାର ସ୍ବର ଗୁଞ୍ଜରିତ ହୋଇଥିଲା। ତିନିବର୍ଷ ପରେ ପୁଣିଥରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆମେରିକା ଓ ମେକ୍ସିକୋ ମଧ୍ୟରେ ରହିଥିବା ୩,୧୪୫ କି.ମି. ବିସ୍ତୃତ ସୀମା ହେଉଛି ବିଶ୍ୱର ସର୍ବାଧିକ ଅତିକ୍ରମ କରାଯାଉଥିବା ସରହଦ। ବାର୍ଷିକ ୩୫୦ ନିୟୁତ ଲୋକ ଏହି ସୀମା ଅତିକ୍ରମ କରନ୍ତି। ଗତବର୍ଷ ଏହି ସୀମା ଡେଇଁବା ବେଳେ ୨୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।

ଝିଅକୁ ଶେଷ ଯାଏ ସୁରକ୍ଷା ଦେଇଥିଲେ ବାପା

ଏଲ୍‌ ସଲଭାଡୋରସ୍ଥିତ ସାନ୍‌ ମାର୍ଟିନ୍‌ ବାସଭବନରେ ରୋସା ରମିରେଜ୍‌ ତାଙ୍କ ନାତୁଣୀ ଭଲେରିଆଙ୍କ କଣ୍ଢେଇ ଦେଖାଇ କାନ୍ଦି ପକାଉଛନ୍ତି। ଓସ୍କାରଙ୍କ ମା’ ରୋସା କହିଛନ୍ତି, ଫଟୋକୁ ଦେଖିବା ପରେ ସେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ହେଲେ ବାପଝିଅ ଦୁହେଁ ପରସ୍ପରର ବାହୁରେ ଆବଦ୍ଧ ହୋଇ ମୃତ୍ୟୁକୁ ଆଦରିନେଇଛନ୍ତି ଜାଣି ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଓସ୍କାର କେମିତି ନିଜ ଝିଅଙ୍କୁ ଶେଷ ଯାଏ ସୁରକ୍ଷା ଦେଇଛନ୍ତି ତାହା ଫଟୋରୁ ବୁଝି ହେଉଛି।

ଫଟୋ ଦେଖିବାକୁ ଘୃଣା କରନ୍ତି ଟ୍ରମ୍ପ୍‌

ବାପଝିଅଙ୍କ ଫଟୋକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୀମାରେ ନିରାପତ୍ତା କଡ଼ାକଡ଼ି କରିବା ପାଇଁ ଆଇନ ପ୍ରଣୟନ ପାଇଁ ଉଦ୍ୟମ କରୁଥିବାବେଳେ ଡେମୋକ୍ରାଟ୍‌ମାନେ ତାଙ୍କର ଗୋଡ଼ ଟାଣିଥିଲେ। ସେମାନେ ଏପରି କରି ନ ଥିଲେ ଏବେ ଏହି ମୃତ୍ୟୁ ଘଟି ନ ଥାନ୍ତା। ଡେମୋକ୍ରାଟ୍‌ମାନେ ଆଇନ ସଂଶୋଧନ କଲେ ଏଭଳି ଘଟଣାକୁ ତୁରନ୍ତ ରୋକାଯାଇ ପାରିବ ଏବଂ କୌଣସି ବାପା ଓ ଝିଅ ଏପରି ମୃତ୍ୟୁମୁଖରେ ପଡ଼ିବାକୁ ବାଧ୍ୟ ହେବେନାହିଁ। ଅତ୍ୟନ୍ତ ବିଚଳିତ କରିବା ଭଳି ଏହି ଫଟୋକୁ ଦେଖିବାକୁ ସେ ଘୃଣା କରନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମେକ୍ସିକୋରୁ ଆମେରିକା ଯାଉଥିବାବେଳେ ପ୍ରାଣ ହରାଇଥିବା ସମସ୍ତ ଶରଣାର୍ଥୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri