ମୁମ୍ବାଇ,୨୬।୪: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଛି। ଦିନକୁ ହଜାର ହଜାର ଲୋକ ଏହି ମହାମାରୀରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଯୁଦ୍ଧରେ ନିଜକୁ ଦୁର୍ବଳ ମଣୁଛି। ଏପରିସ୍ଥଳେ ଭାରତ ଏହାର କଡା ମୁକାବିଲା କରୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ ଥିବାରୁୁ ଏହା ରାଜ୍ୟ ସରକାରଙ୍କ ନିଦ ହଜାଇ ସାରିଲାଣି। ନିକଟରେ ୫୨ ବର୍ଷୀୟ ହେଡ କନଷ୍ଟେବଳ ସନ୍ଦିପ ସୁର୍ଭେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ ମୁମ୍ବାଇ ପୋଲିସଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରି ସାରିଥିବା ବେଳେ ଏବେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାସହ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି।