ଚଣ୍ଡିଗଡ଼,୨୬ା୧୨(ପି.ଟି.): ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ରେ ବିଦ୍ରୋହ ଦେଖାଦେଇଛି। ଦଳର ଉପାଧ୍ୟକ୍ଷ ପଦରୁ ବିଧାୟକ ରାମକୁମାର ଗୌତମ ବୁଧବାର ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳୀୟ ବିଧାୟକମାନଙ୍କ ସମର୍ଥନରେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଏକଥା ସେ ଭୁଲିଯିବା ଉଚିତ ନୁହେଁ ବୋଲି ଗୌତମ କହିଛନ୍ତି। ଦଳୀୟ କାର୍ଯ୍ୟଧାରାକୁ ନେଇ ସେ ଅତିଷ୍ଠ ହୋଇପଡ଼ିଥିଲେ ବୋଲି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଗୌତମ କାହିଁକି ଇସ୍ତଫା ଦେଲେ ତାହା ଜାଣି ନ ଥିବା ଦୁଷ୍ୟନ୍ତ କହିଛନ୍ତି। ଜେଜେପି ଯାହା ବିରୋଧରେ ନିର୍ବାଚନ ଲଢ଼ୁଥିଲା, ଏବେ ଏହାର ନେତାମାନେ ଉକ୍ତ ଦଳ ସହ ହାତ ମିଳାଇଥିବା ଗୌତମ ଅଭିଯୋଗ କରିଛନ୍ତି।