ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଓ ତାଙ୍କ ସହଯୋଗୀଙ୍କୁ ଜାମା ମସ୍ଜିଦ ନିକଟରୁ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ପାଇଁ ବିଚାରବିାଭଗୀୟ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ଜାମା ମସ୍ଜିଦରୁ ଜନ୍ତରମନ୍ତର ଅଭିମୁଖେ ବିକ୍ଷୋଭକାରୀମାନେ ବାହାରିବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ପୂର୍ବରୁ ବିକ୍ଷୋଭ ଲାଗି ପୋଲିସ ମନାକରିବା ସହ ଦିଲ୍ଲୀ ଗେଟ୍ ନିକଟରେ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। କଡ଼ା ସୁରକ୍ଷା ଓ ନିଷେଧାଦେଶକୁ ବେଖାତିର କରି ହଜାର ହଜାର ଛାତ୍ର, ବିରୋଧୀ ଦଳ ନେତା ଓ କର୍ମୀମାନେ ରାଜଧାନୀରେ ବିକ୍ଷୋଭ କରିଥିଲେ। ପୋଲିସ ଆଜାଦଙ୍କୁ ଅଟକାଇବା ପରେ ସେ ମସ୍ଜିଦକୁ ଚାଲିଯାଇଥିଲେ। ଶନିବାର ସକାଳେ ସେ ସେଠାରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବାବେଳେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।