ରାଞ୍ଚି,୨୬ା୯(ପି.ଟି.): ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମ୍ଶେଦ୍ପୁରରେ ଏକ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରି ୧୭ ଛାତ୍ର ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଏହି ନିଲମ୍ବନ ବିରୋଧରେ ହିନ୍ଦୁ ଶାଖା ପକ୍ଷରୁ ବୁଧବାର ବିକ୍ଷୋଭ କରାଯାଇଛି। କେତେକ ଅଭିଭାବକ ଏନେଇ ଜିଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରିଥିବାବେଳେ ଏକ ଏନ୍ଜିଓ ମାଲିକ ଅପ୍ପୁ ତିଓ୍ବାରୀ ଡିଇଓଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ବେଲଡ଼ିହସ୍ଥିତ ଏହି ସ୍କୁଲର ଅଧ୍ୟକ୍ଷ ଏଲ୍. ପିଟରସନ ପିଲାମାନଙ୍କୁ ୫ ଦିନିଆ ଷ୍ଟଡି ଲିଭ୍ରେ ଛଡ଼ାଯାଇଥିବା କହିଛନ୍ତି। ସେମାନଙ୍କ ଆଚରଣ ଶୃଙ୍ଖଳିତ ନ ଥିବାରୁ ସ୍କୁଲ ପରିବେଶ ଦୂଷିତ ହେଉଥିଲା। କୌଣସି ଛାତ୍ରଙ୍କୁ ନିଲମ୍ବିତ କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏବେ ସେମାନେ ଲାଇବ୍ରେରୀରେ ଅଛନ୍ତି ଓ ସେମାନଙ୍କ ପିତାମାତାଙ୍କୁ ଡ଼ାକିବା ଲାଗି କୁହାଯାଇଥିବା ସେ ପ୍ରକାଶ କରିଛନ୍ତି। ବୋର୍ଡ ପରୀକ୍ଷା ଆଗକୁ ଥିବାରୁ ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ଲାଗି ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।