ନୂଆଦିଲ୍ଲୀ,୧୮।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଡିଜିଟାଲ କାରବାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଟଙ୍କା ଏବଂ କଏନ୍ ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ରହିଛି। ତେବେ ଏହାକୁ ରୋକିବା ଲାଗି ଡିଜିଟାଲ କାରବାର କରାଗଲେ ସୁରକ୍ଷିତ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଚାଇନା, ଜାପାନ, ଇଟାଲୀ ଆଦିରେ ବ୍ୟାଙ୍କରୁ ମିଳୁଥିବା ଟଙ୍କା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପୃଥିବୀର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ଲୋକଙ୍କୁ ନଗଦ କାରବାର ବନ୍ଦ କରି ଡିଜିଟାଲ କାରବାର କରିବାକୁ ପରାମର୍ଶ ଦେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସଚେତନ କରାଯାଇଛି।