ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍ଡାଉନ୍ ପାଇଁ ଲୋକେ ଘରେ ରହିଛନ୍ତି। ସେମାନଙ୍କର ଯେପରି ସମସ୍ୟା ନ ଉପୁଜିବ ସେଥିପାଇଁ ଅନ୍ଲାଇନ୍ ଓ ହୋମ୍ ଡେଲିଭରି ସେବାକୁ ଅନୁମତି ଦେଇଛନ୍ତି ସରକାର। ଖୁବ୍ଶୀଘ୍ର ‘ଟିକ୍ ମି’ ମୋବାଇଲ୍ ଆପ୍ ମାଧ୍ୟମରେ ଅତ୍ୟାବଶ୍ୟକ ସେବା ପ୍ରଦାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସ୍ଥିର କରିଛି। ସହରବାସୀ ଉକ୍ତ ଆପ୍ ସହାୟତାରେ ଗ୍ରସେରି ଷ୍ଟୋର୍, ମେଡିକାଲ୍ ଦୋକାନ, ରେଷ୍ଟୁରାଣ୍ଟ ଆଦି ଅତ୍ୟାବଶ୍ୟକ ଦୋକାନୀଙ୍କୁ ଅର୍ଡର କରି ସାମଗ୍ରୀ ପାଇପାରିବେ। ସମ୍ପୃକ୍ତ ଦୋକାନୀ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବେ ବୋଲି ବିଏମ୍ସି ସୂଚନା ଦେଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ସହଯୋଗରେ ବିଏମ୍ସି ଏହାକୁ କାର୍ଯ୍ୟକାରୀ କରୁଛି। ଏହି ଆପ୍ ଆମେରିକାର ଉତ୍ତର କାରୋଲିନାର ଚାର୍ଲୋଟର ଏକ ଟିମ୍ ଦ୍ୱାରା ତିଆରି ଓ ଡିଜାଇନିଂ ହୋଇଥିବାବେଳେ ଆଇଆଇଟି କାନପୁର ଗ୍ରାଜୁଏଟ୍ମାନେ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି।