ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେରିକାରେ ବିକ୍ରି ହେଉଥିବା ୟେଲୋଫିନ୍ ଟୁନା (ହଳଦିଆ ଡେଣାଯୁକ୍ତ ଟୁନା ମାଛ)ର ଉତ୍ପାଦଗୁଡ଼ିକ ଖାଦ୍ୟ ବିଷାୟନର କାରଣ ହୋଇପାରେ ବୋଲି ଫୁଡ୍ ଆଣ୍ଡ୍ ଡ୍ରଗ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଲର୍ଜିକାରକ ହିଷ୍ଟାମାଇନ ଦ୍ୱାରା ସଂକ୍ରମିତ ଟୁନାମାଛ ଖାଇଲେ ଏହା ହୋଇଥାଏ। ମାଛକୁ ଭଲଭାବେ ଶୀତଳୀକରଣ କରାଯାଇ ନ ଥିଲେ ସେଥିରେ ବୀଜାଣୁ ସୃଷ୍ଟି ହୋଇ ସଂକ୍ରମଣର କାରଣ ହୋଇଥାଏ। ମାଛଦ୍ୱାରା ସୃଷ୍ଟ ଏପରି ଖାଦ୍ୟ ବିଷାୟନର ଲକ୍ଷଣଗୁଡ଼ିକ ହେଉଛି ପାଟି ପୋଡ଼ିବା, ମୁହଁ ଫୁଲିଯିବା, ଦେହ ଫଳିଯିବା, ଓକାର, ବାନ୍ତି, ତରଳ ଝାଡ଼ା, ମୁଣ୍ଡବିନ୍ଧା, ମୂର୍ଚ୍ଛା ହୋଇଯିବା, ଆଖିକୁ ବେଳେ ବେଳେ ଝାପ୍ସା ଝାପ୍ସା ଦେଖାଯିବା, ପେଟ କାଟିବା, ନିଃଶ୍ୱାସପ୍ରଶ୍ୱାସରେ ସମସ୍ୟା ଇତ୍ୟାଦି। ଉକ୍ତ ମାଛ ଖାଇବାର ୫ ମିନିଟରୁ ଅଧଘଣ୍ଟା ଭିତରେ ଲକ୍ଷଣମାନ ପ୍ରକାଶ ପାଇବାକୁ ଆରମ୍ଭ କରେ ଏବଂ ଘଣ୍ଟା ଘଣ୍ଟା ଧରି ରହେ। କେତେକ କ୍ଷେତ୍ରରେ ଲକ୍ଷଣଗୁଡ଼ିକ କିଛିଦିନ ପର୍ଯ୍ୟନ୍ତ ରହେ। ବେଳେବେଳେ ଆଣ୍ଟି ହିଷ୍ଟାମାଇନ କାମ କରେ ଓ ଆଉ ବେଳେବେଳେ କରେନା। ଗୁରୁତର କ୍ଷେତ୍ରରେ ହସ୍ପିଟାଲର ଜରୁରୀ କକ୍ଷରେ ଭର୍ତ୍ତି ହୋଇ ଆଇଭି ଫ୍ଲୁଇଡ୍, ଅମ୍ଳଜାନ ଓ ଅନ୍ୟ ଔଷଧ ଓ ଚିକିତ୍ସାର ଆବଶ୍ୟକତା ପଡ଼େ। ଶ୍ୱାସ ଓ ହୃଦ୍ରୋଗ ଥିବା ଲୋକମାନଙ୍କ କ୍ଷେତ୍ରରେ ଏହା ଜୀବନନାଶକାରୀ ହୋଇପାରେ। ଲକ୍ଷଣଗୁଡ଼ିକ ଧମନୀୟ ହୃଦ୍ରୋଗର ଅନୁରୂପ ହୋଇଥିବାରୁ ଅନେକ ସମୟରେ ଠିକ୍ଭାବରେ ନିଦାନ ହୋଇପାରି ନ ଥାଏ, ଯାହା ଗୁରୁତର ସମସ୍ୟା ସୃଷ୍ଟି କରେ। ଭାରତରେ ଡାକ୍ତରମାନଙ୍କର ବି ଏ ବିଷୟରେ ଯଥେଷ୍ଟ ଜ୍ଞାନର ଅଭାବ ରହିଛି।
କେତେକ ପ୍ରକାର ମାଛରେ କେମିକାଲ ହିଷ୍ଟାମାଇନର ସ୍ତର ବହୁତ ଅଧିକ ଥାଏ। ଶୀତଳୀକରଣ ହୋଇ ନ ଥିବା ଓ ଠିକ୍ ଭାବେ ପରିବହନ ହୋଇ ନ ଥିବା ସ୍କମ୍ବ୍ରିଡି ଓ ସ୍କମ୍ବରେସୋସିଡି ପ୍ରଜାତିର (ଟୁନା, ମିରିକାଳି, ବୋନିଟୋ ପ୍ରଭୃତି) ମାଛ ସାଧାରଣତଃ ହିଷ୍ଟାମାଇନ ସଂକ୍ରମଣର ଶିକାର ହୋଇଥାନ୍ତି। ସେଥିପାଇଁ ଏ ପ୍ରକାର ଖାଦ୍ୟ ବିଷାୟନକୁ ସ୍କମ୍ବ୍ରଏଡ୍ ଫିଶ୍ ପଏଜନିଂ ବୋଲି କୁହାଯାଏ। ତେବେ କେତେକ ଅନ୍ୟ ମାଛ ଯଥା ମହିମହି, ନୀଳମାଛ, ସାର୍ଡିନ, ଆଙ୍କୋଭି, ହେରିଙ୍ଗ ପ୍ରଭୃତି ପଚି ନଷ୍ଟ ହୋଇଗଲେ ସେଥିରେ ହିଷ୍ଟାମାଇନ ବିଷାୟନ ଦେଖାଯାଇଥାଏ।
ହିଷ୍ଟାମାଇନ ହେଉଛି ପ୍ରାକୃତିକ ଭାବେ ମିଳୁଥିବା ଏକ ଯୌଗିକ ଯାହା ଆପଣଙ୍କ ପାଚନତନ୍ତ୍ର, ସ୍ନାୟୁତନ୍ତ୍ର ଓ ରୋଗନିରୋଧକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରେ। ଯଦି ଆପଣଙ୍କର କେବେ ଆଲର୍ଜିକ୍ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ, ତେବେ ଆପଣ ହିଷ୍ଟାମାଇନ ସ୍ତର ବୃଦ୍ଧିର ଲକ୍ଷଣ ଯଥା ନାକ ରୁନ୍ଧି ହୋଇଯିବା, ଚର୍ମ କୁଣ୍ଡେଇ ହେବା, ମୁଣ୍ଡବିନ୍ଧା, ଛିଙ୍କ ପ୍ରଭୃତି ସମସ୍ୟା ଅନୁଭବ କରିଥିବେ। ଆପଣ ବି ବେଳେବେଳେ ଛେନା, ମଦ, ଆଚାର ଓ ସେକା ମାଂସ ପ୍ରଭୃତି ଖାଦ୍ୟରେ ହିଷ୍ଟାମାଇନ ଗ୍ରହଣ କରିପାରନ୍ତି।
ଅଧିକାଂଶ କ୍ଷେତ୍ରରେ ବର୍ଗର ଓ ସାଲାଡ ପ୍ରସ୍ତୁତିରେ ବ୍ୟବହୃତ ଟୁନା ମାଛକୁ ଫ୍ରିଜ୍ରେ ରଖାଯାଇଥିଲେ ମଧ୍ୟ ପରଷିବା ପୂର୍ବରୁ ତାକୁ ଏକାଧିକ ବାର ବାହାରେ ରଖାଯାଏ। ବର୍ଗର ଓ ସାଣ୍ଡ୍ଓ୍ବିଚ୍ରେ ବ୍ୟବହୃତ ଟୁନାମାଛର ବଟା ଉଭୟ ଉତ୍ତାପର ହ୍ରାସବୃଦ୍ଧି ଓ ବୀଜାଣୁ ସଂକ୍ରମଣର ସମ୍ମୁଖୀନ ହୋଇଥାଏ। ଟୁନାମାଛର ବଟାକୁ ବିନା ରନ୍ଧାରେ ସୁଶି, ସାଣ୍ଡ୍ଓ୍ବିଚ୍ର ପୂର ଓ ସାଲାଡରେ ପରଷାଯାଏ ଏବଂ ଫିଲେଟ, ଷ୍ଟେକ୍ ଓ ବର୍ଗରରେ ରାନ୍ଧି ପରଷାଯାଏ। ଟୁନାକୁ ତେଲ, ଲୁଣପାଣି ଓ ସସ୍ ଦେଇ ଟିଣ ଡବାରେ ରଖାଯାଏ ଏବଂ ସାଣ୍ଡ୍ଓ୍ବିଚ୍ ଓ ସାଲାଡରେ ଦିଆଯାଏ। ମାଂସର କିଛି ଅଂଶ ଡବାରେ ରଖି କୁକୁର ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ। ଡବାରେ ପ୍ୟାକିଂ ପୂର୍ବରୁ ସେଥିରେ କିଛି ବୀଜାଣୁ ଥିଲେ ତାହା ସେମିତି ରହିଯାନ୍ତି।
ଉଭୟ ସ୍ଥାନୀୟ ଓ ଦୂର ସମୁଦ୍ରରୁ ଟୁନାମାଛକୁ ଧରି ସହରଗୁଡ଼ିକୁ ଅଣାଯାଏ। ଏହାକୁ ସମୁଦ୍ରରୁ ଧରିବା ପରଠାରୁ ହିଁ ଶୀତଳୀକରଣ ଯନ୍ତ୍ରରେ ରଖିବା କଥା। କିନ୍ତୁ ଭାରତର ମତ୍ସ୍ୟଜୀବୀମାନେ ଖରାବେଳେ ଏ ମାଛକୁ ଧରି କିଛିଘଣ୍ଟା ପରେ ହିଁ ଏହାକୁ ଚାଲାଣ କରିଦିଅନ୍ତି। ୭ରୁ ୧୪ ଦିନ ଲାଗୁଥିବା ପରିବହନ ସମୟରେ ଏହାକୁ ଶୀତଳୀକରଣ ଯନ୍ତ୍ରରେ ରଖି ବା ବରଫ ଦେଇ ପରିବହନ କରିବା କଥା। ସହରରେ ପହଞ୍ଚିବା ପରେ ସାଲାଡ, ଷ୍ଟେକ୍, ଫିଲେଟ ବା ବର୍ଗର ରୂପେ ଏହାକୁ ପରଷିବା ପୂର୍ବରୁ ୨ରୁ ୪ ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖାଯାଏ। ମଝିରେ ଏହାକୁ ବାହାରକୁ କାଢ଼ି ବଟାଯାଏ ଓ ପୁଣି ଫ୍ରିଜ୍ରେ ରଖାଯାଏ। ଶେଷକୁ ଏହାକୁ ରାନ୍ଧି ପରଷାଯାଏ। ଏହି ପ୍ରକ୍ରିୟାରେ ଟୁନାମାଛ ଅନେକଥର ଥଣ୍ଡା ହୁଏ ଓ ପୁଣି ଗରମ ହୁଏ। ସବୁ ରେଷ୍ଟୁରାଣ୍ଟରେ ଏହା ଘଟେ। ଯଥେଷ୍ଟ ଶୀତଳୀକରଣର ଅଭାବ ଏବଂ ଅସନା ଗ୍ରାଇଣ୍ଡର ଆଦି ସମସ୍ୟା ସବୁ ରେଷ୍ଟୁରାଣ୍ଟରେ ରହିଛି। ଏହା ହିଁ ହିଷ୍ଟାମାଇନ ବିଷାୟନର ମୁଖ୍ୟ କାରଣ। ଥଣ୍ଡାରେ ରହି ନ ଥିବା କଞ୍ଚା ମାଛରେ ହିଷ୍ଟାମାଇନ ସଂକ୍ରମଣ ହୋଇଥାଏ। ମାଛର ଗନ୍ଧ ସ୍ବାଭାବିକ ରହିଥିବାରୁ ଖାଇବା ଲୋକ ସେଥିରେ କିଛି ସମସ୍ୟା ଅଛି ବୋଲି ଜାଣିପାରେ ନାହିଁ। ଥରେ ବୀଜାଣୁ ଦ୍ୱାରା ହିଷ୍ଟିଡାଇନ ଡିକାର୍ବୋକ୍ସିଲେସ୍ ଏଞ୍ଜାଇମ୍ ସୃଷ୍ଟି ହୋଇଗଲା ପରେ ଉକ୍ତ ବୀଜାଣୁ ମରିଗଲେ ବି ହିଷ୍ଟାମାଇନ ଉତ୍ପାଦନ ବନ୍ଦ ହୁଏ ନାହିଁ। ଏହି ବିଷ ସୃଷ୍ଟି ହେଲା ପରେ ତାକୁ ରାନ୍ଧିଲେ, ସେକିଲେ ବା ଫ୍ରିଜ୍ରେ ରଖିଲେ ବି ତାହା ନଷ୍ଟ ହୁଏ ନାହିଁ।
ଟୁନାମାଛ ଧରା ହେବା ପରେ ତା’ର ଶରୀରର ତାପମାତ୍ରା ଅନ୍ୟ ମାଛଠାରୁ କେତେ ଡିଗ୍ରୀ ଅଧିକ ରହିଥାଏ। ତେଣୁ ପରେ ଉତ୍ତାପର ହ୍ରାସବୃଦ୍ଧି ଘଟିଲେ ଏଥିରେ ସହଜରେ ଜୀବାଣୁ ସୃଷ୍ଟି ହୋଇଯାନ୍ତି। ବାଟିବା ପ୍ରକ୍ରିୟାରେ ବଟାଯନ୍ତ୍ରରେ ପୂର୍ବରୁ ଥିବା ଜୀବାଣୁ ସଜ ଟୁନାମାଛକୁ ସଂକ୍ରମିତ କରନ୍ତି ଏବଂ ବାଟିବା ଦ୍ୱାରା ଘର୍ଷଣଜନିତ ଉତ୍ତାପ ଦ୍ୱାରା ବି ଜୀବାଣୁ ସୃଷ୍ଟି ହୁଅନ୍ତି। ବର୍ତ୍ତମାନ ଟୁନାମାଛକୁ ଗିଲ୍ନେଟ ଦ୍ୱାରା ଧରାଯାଉଛି, ଯେଉଁଥିରୁ ବାହାରିବାକୁ ଚେଷ୍ଟା କରିବା ଭିତରେ ଟୁନାମାଛ କ୍ଷତାକ୍ତ ହେବାର ସମ୍ଭାବନା ଥାଏ। ତେଣୁ ଏ ମାଛ ଶୀଘ୍ର ମରିଯାନ୍ତି ଏବଂ ଏହାକୁ ଜାଲରୁ କାଢ଼ିବା ପୂର୍ବରୁ କେତେଘଣ୍ଟା ସମୟ ବିତିଯାଉଥିବାରୁ ହିଷ୍ଟାମାଇନ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଯାଏ।
ମାଛରେ ହିଷ୍ଟାମାଇନ ୧୦୦ ପିପିଏମ୍ରୁ କମ୍ ରହିବା ଉଚିତ ଏବଂ ଏହା ସମ୍ଭବ ହୁଅନ୍ତା ଯଦି ମାଛକୁ ଧରିବା ପରେ ସଙ୍ଗେ ସଙ୍ଗେ ଶୀତଳୀକରଣ ଯନ୍ତ୍ରରେ ରଖାଯାନ୍ତା। କିନ୍ତୁ ଗ୍ରୀଷ୍ମମଣ୍ଡଳୀୟ ଦେଶଗୁଡ଼ିକରେ ଯେଉଁଠି ବିଶେଷ ଫ୍ରିଜିଂ ସୁବିଧା ନାହିଁ, ସେଠାରେ ଅନୁମୋଦିତ ମାତ୍ରାଠାରୁ ଅଧିକ ହିଷ୍ଟାମାଇନ ରହିବା ସ୍ବାଭାବିକ। ଭାରତରେ ଟୁନା, ସିୟରଫିଶ ଏବଂ ମିରିକାଳି ପ୍ରଭୃତି ମାଛକୁ ବିନା ବରଫରେ ଖୋଲାରେ ବିକ୍ରି କରାଯାଏ, ଯେଉଁଠି ହିଷ୍ଟାମାଇନ ସଂକ୍ରମଣ ଅଧିକ ଘଟିଥାଏ।
ବର୍ତ୍ତମାନ ସରକାର ଟୁନାମାଛକୁ ପ୍ରୋତ୍ସାହିତ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଟୁନାମାଛ କେରଳ ଓ ଗୋଆରେ ବିକ୍ରି ହେଉଥିଲା। ଅନ୍ୟତ୍ର ଏହାର ଚାହିଦା କମ୍ ଥିଲା। କିନ୍ତୁ ଏବେ ଓସେନ ପାର୍ଟନରଶିପ୍ସ ଫର୍ ସଷ୍ଟେନେବ୍ଲ ଫିଶରିଜ୍ (ଏକ ବିଶ୍ୱ ବ୍ୟାଙ୍କ ଓ ଜିଇଏଫ୍ ଅନୁଦାନପ୍ରାପ୍ତ ପ୍ରକଳ୍ପ) ଏବଂ ଦ ବେ ଅଫ୍ ବେଙ୍ଗଲ ପ୍ରୋଗ୍ରାମ୍ ଇଣ୍ଟର୍ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ମୁଖ୍ୟାଳୟ: ଚେନ୍ନାଇ) ପକ୍ଷରୁ ଅନ୍ୟ ଅଞ୍ଚଳର ଖାଉଟିମାନଙ୍କ ପାଇଁ ଏହାକୁ ପ୍ରୋତ୍ସାହନ ଦିଆଯାଉଛି। ସେଣ୍ଟ୍ରାଲ ମେରାଇନ ଫିଶରିଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଅନୁଯାୟୀ ଭାରତୀୟ ସମୁଦ୍ରରେ ୯ଟି ପ୍ରଜାତିର ଟୁନାମାଛ ଅଛନ୍ତି। କିନ୍ତୁ ଯେଉଁ ଟୁନାମାଛକୁ ବାହାରୁ ଅଣାଯାଉଛି ତାକୁ ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଭାରତୀୟ ଜାହାଜଗୁଡ଼ିକ ଛୋଟ, ସେଥିରେ ଯାନ୍ତ୍ରିକ ଶୀତଳୀକରଣ ବ୍ୟବସ୍ଥା ନାହିଁ ଏବଂ କେବଳ ବରଫ ଉପରେ ନିର୍ଭର କରାଯାଏ। ତେଣୁ ଜାହାଜରେ ଆସିବା ଭିତରେ ଯଥେଷ୍ଟ ଶୀତଳୀକରଣ ଅଭାବରୁ ଏହି ମାଛ ନଷ୍ଟ ହୋଇଯାଏ ଏବଂ ଜୀବାଣୁ ସଂକ୍ରମଣ ବୃଦ୍ଧି ପାଏ। ଏ ପରିସ୍ଥିତିରେ ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି, ଯାହାଦ୍ୱାରା ଅଧିକ ଟୁନାମାଛ ଧରାଯାଇପାରିବ। ଉଦ୍ଦେଶ୍ୟ ହେଉଛି ଆମେରିକା ଓ ଫ୍ରାନ୍ସ ସହ ପ୍ରତିଯୋଗିତା କରିବା। କିନ୍ତୁ ଯେଉଁ ମାଛ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ପ୍ରମାଣିତ ହୋଇସାରିଛି ତାକୁ ପ୍ରୋତ୍ସାହନ ଦେବାର ମାନେ କ’ଣ?
ଟୁନାମାଛର ଅନ୍ୟ ଏକ ବିପଦ ହେଉଛି ପାରଦ। ଏଥିରେ ଉଚ୍ଚମାତ୍ରାର ପାରଦ ଥାଏ। ବର୍ତ୍ତମାନ ସାମୁଦ୍ରିକ ପ୍ରଦୂଷଣ ଯୋଗୁ ସମୁଦ୍ରରେ ପାରଦର ମାତ୍ରା ବଢ଼ିଛି। ଟୁନାମାଛ ସେହି ପାରଦକୁ ଖାଇବା ଯୋଗୁ ତା’ ଦେହରେ ମିଥାଇଲ ମର୍କ୍ୟୁରୀ ନାମକ ବିଷ ସୃଷ୍ଟି ହେଉଛି, ଯାହା ମଣିଷର ସ୍ନାୟବିକ ସଂସ୍ଥାନକୁ ପ୍ରଭାବିତ କରିପାରେ। ପିଲାମାନେ ଏ ମାଛ ଖାଇଲେ ତାଙ୍କ ସ୍ନାୟୁତନ୍ତ୍ର ଅଚଳ ହୋଇଯାଇପାରେ। ତେଣୁ ଭାରତରେ ଆମେ ଟୁନାମାଛ ଖାଇବା ଓ ଏହି ମାଛ ବେପାରକୁ ପ୍ରୋତ୍ସାହନ ଦେବା କ’ଣ ଏତେ ଜରୁରୀ?
Email: gandhim@nic.in