ଓ୍ବାଶିଂଟନ, ୧୮ା୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପ ରବିବାର ଟୁଇଟ୍ କରି ୪ ମହିଳା ଡେମୋକ୍ରାଟ୍ ସଦସ୍ୟାଙ୍କୁ ନିଜ ଦେଶକୁ ଚାଲିଯିବା ଲାଗି କହିବା ସହ ଆକ୍ଷେପ କରିଥିଲେ। ଏହାକୁ ଗୃହର ବାଚସ୍ପତି ନାନ୍ସି ପେଲୋସି ବିରୋଧ କରିଥିଲେ। ଏନେଇ ସେ ଗୃହରେ ପ୍ରସ୍ତାବ ଆଣିଥିବାବେଳେ ଡେମୋକ୍ରାଟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ମୋଶନ ସପକ୍ଷରେ ୨୩୫ ଭୋଟ ପଡ଼ିଥିଲାବେଳେ ବିରୋଧରେ ୧୮୭ ଭୋଟ ଯାଇଥିଲା। କଂଗ୍ରେସ ସଦସ୍ୟା ଆଲେକଜାଣ୍ଡ୍ରିଆ ଓକାସିଓ-କୋର୍ଟେଜ୍, ରଶିଦା ଟିଲେବ୍, ଇହ୍ଲାମ୍ ଓମାର ଓ ଆୟାନା ପ୍ରେସ୍ଲୀଙ୍କୁ ଟ୍ରମ୍ପ୍ ଏଭଳି କହିଥିଲେ। ଏମାନଙ୍କ ମଧ୍ୟରୁ ଓମାର ସୋମାଲିଆରେ ଜନ୍ମଗ୍ରହଣ କରିଥିବାବେଳେ ଅନ୍ୟ ୩ ଜଣ ଆମେରିକା ଜନ୍ମିତ। ଟ୍ରମ୍ପଙ୍କୁ ଦୃଢ଼ ବିରୋଧ କରାଯିବା ପରେ ସେ ନିଜେ ଟୁଇଟ୍ କରି ସଫେଇ ଦେବା ସହ ଏହା ଜାତିଆଣ ମନ୍ତବ୍ୟ ନ ଥିଲା ବୋଲି ପ୍ରକାଶ କରିଛନ୍ତି। ସେପଟେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ର କୃଷ୍ଣକାୟ ରିପବ୍ଲିକାନ ସଦସ୍ୟ ଓ୍ବିଲ ହର୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସମସ୍ତଙ୍କୁ ଯୋଡ଼ିବା ପରିବର୍ତ୍ତେ ସେ ଅଲଗାଅଲଗା କରିବାକୁ ଚାହୁଁଥିବା ହର୍ଡ ମତ ଦେଇଛନ୍ତି।