ନୂଆଦିଲ୍ଲୀ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଏବେ କେବଳ ସ୍ଥଳପଥ ନୁହେଁ ଆକାଶ ପଥରେ ବି ଅଭଦ୍ୟ ହେବାକୁ ଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଶ ପଥର ସୁରକ୍ଷାକୁ ବଢାଇବାକୁ ପ୍ରୟାସ କରାଯାଉଛି। ଏଥିପାଇଁ ଭାରତ ଆମେରିକାଠାରୁ ଆଡଭାନ୍ସ ମିଶାଇଲ ଡିଫେନ୍ସ ସିଷ୍ଟମ କିଣିଥିବା କୁହାଯାଉଛି। ଏବେ ଏହି ସିଷ୍ଟମକୁ ‘ଏୟାର ଇଣ୍ଡିଆ’ ଓ୍ବାନରେ ଲଗାଇଦେବା ପରେ ଏହା ‘ଏୟାର ଫୋର୍ସ ଓ୍ବାନ’ ଭଳି ଉଡୁଥିବା ଏକ କିଲାରେ ପରିଣତ ହୋଇଯିବ ବୋଲି କୁହାଯାଉଛି। ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ‘ଏୟାର ଫୋର୍ସ ଓ୍ବାନ’କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହା ଆକାଶରେ ଉଡୁଥିବା ଏକ ଅଭେଦ୍ୟ କିଲା ସଦୃଶ ବୋଲି କୁହାଯିବା ସହ ଏହା ଏକ ଉଡନ୍ତା ହ୍ବାଇଟ୍ ହାଉସ୍ ଭାବେ ଜଣାଶୁଣା। ଉକ୍ତ ବିମାନରେ ଉଡୁଥିବା ସମୟରେ ମଧ୍ୟ ଆମେରିକାର ସମସ୍ତ ଘଟଣାବଳୀ ଉପରେ ଏମିତିକି ଆମେରିକା ଉପରେ ଯଦି ଆକ୍ରମଣ ହୁଏ ତାହାର ମଧ୍ୟ ସୂଚନା ମଳିପାରିବାର ସୁବିଧା ରହିଛି। ‘ଏୟାର ଫୋର୍ସ ଓ୍ବାନ’ ବିଶ୍ୱର ସବୁଠାରୁ ଆଧୁନିକ ମିଶାଇଲ ଡିଫେନ୍ସ ସିଷ୍ଟମ ବୋଲି କୁହାଯାଏ। ଏବେ ଏହି ମିଶାଇଲ ଡିଫେନ୍ସ ସିଷ୍ଟମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଲାଗି କ୍ରୟ କରାଯିବାକୁ ଥିବା ନୂଆ ବିମାନରେ ଲାଗାଯିବ ବୋଲି ଜଣାପଡିଛି। ଏହି ସିଷ୍ଟମ କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ କରିବ। ଦୀର୍ଘ ୨୬ ବର୍ଷ ପରେ ଏବେ ଏୟାର ଇଣ୍ଡିଆ ଓ୍ବାନର ସ୍ଥାନ ନେବାକୁ ଯାଉଛି ବୋଇଂ ୭୭୭। ଯାହା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ବିମାନ ହେବ ବୋଲି କୁହାଯାଉଛି।