ବଅଁରପାଳ,୨୩।୪(ଡି.ଏନ୍.ଏ): ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଉଛି। ଗୁରୁବାର ସକାଳେ ବିନୟ ପରିଡ଼ା ନାମକ ଜଣେ ଠିକା ଶ୍ରମିକ ପ୍ଲାଣ୍ଟରୁ ବାହାରୁଥିବା ବେଳେ ସିଆଇଏସ୍ଏଫ୍ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ନେଇ ପ୍ଲାଣ୍ଟରେ ଉତ୍ତେଜନା ଦେଖାଦେବା ସହ ୨ହଜାରରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏଥିସହ ପ୍ଲାଣ୍ଟ ଭିତରକୁ ଗଲା ବେଳେ ଫାଟକରେ ଶ୍ରମିକଙ୍କୁ ଛଡ଼ା ନ ଯିବା ସହ ସାମାଜିକ ଦୂରତ୍ୱ ରଖାଯାଉନାହିଁ ବୋଲି ଠିକା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଘଟଣାସ୍ଥଳରେ ଶ୍ରମିକ ନେତା ବିପ୍ଳବ ଜେନା, ନାଲକୋ ଥାନା ଅଧିକାରୀ ଓ ଡିଜିଏମ ଏସ୍.ଏସ୍. ପଣ୍ଡା ପହଞ୍ଚି ଉତ୍ତ୍ୟକ୍ତ ଶ୍ରମିକଙ୍କୁ ବୁଝାସୁଝା କରିଛନ୍ତି।