ବନ୍ତଳା,୧୧।୧(ଡି.ଏନ.ଏ.) – ବନ୍ତଳା ଥାନା ପୋକତୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷର ସମାଧାନ ଶୁକ୍ରବାର ବନ୍ତଳା ଥାନାରେ ହୋଇଛି। ଆସନ୍ତା ଜୁନ ୩୦ ମଧ୍ୟରେ ଶିଶୁମନ୍ଦିର ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ଶିଶୁ ମନ୍ଦିରର ସମ୍ପାଦକ ସହମତି ପ୍ରକାଶ କରି ଥାନାରେ ଚୁକ୍ତି କରିଛନ୍ତି। ଶିଶୁମନ୍ଦିର ପକ୍ଷରୁ ସମ୍ପାଦକ ତାପସ କୁମାର ଦେହୁରୀ, ତାଙ୍କ ଭାଇ ଆଇନଜୀବୀ ତପନ ଦେହୁରୀ, ବିବେକାନନ୍ଦ ସାହୁ, ଶ୍ରୀକାନ୍ତ ପ୍ରଧାନ ଓ ସମସ୍ତ ଗୁରୁଜୀଗୁରୁମା ଥାନାରେ ଉପସ୍ଥିତ ଥିବାବେଳେ ପୋକତୁଙ୍ଗା ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ ସଭାପତି ପପୁ ଦେହୁରୀ, ପୂର୍ବତନ ସମ୍ପାଦକ ଯତୀନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ଗୋକୁଳାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପ୍ରଫୁଲ୍ଲ ପ୍ରଧାନ, ପ୍ରଶାନ୍ତ, ହେମନ୍ତ ମହାଳିକଙ୍କ ସହିତ ୨୦୦ରୁ ଊଦ୍ଧର୍ବ ଗ୍ରାମବାସୀ ଉପସ୍ଥିତ ଥିଲେ। ଥାନା ଆଇଆଇସି ଗୀତାଞ୍ଜଳି ସାହୁ, ପ୍ରୋବେଶନାଲ ଡିଏସପି ସୌରଭ ଓତାଙ୍କ ଉପସ୍ଥିତରେ ଏହି ସମାଧାନ ହୋଇଥିଲା। ଏ ନେଇ ଆଇଆଇସି କହିଛନ୍ତି, ଶିଶୁମନ୍ଦିର ବେସରକାରୀ ହୋଇଥିବା ବେଳେ ପୋଲିସ ବିଭାଗ ପାଇଁ ସଂରକ୍ଷିତ ଜାଗାରେ ବେଆଇନ ଭାବେ ଗଢି ଉଠିଛି। ତେଣୁ ଆଗକୁ କୌଣସି ସମସ୍ୟା ଯେପରି ସୃଷ୍ଟି ନ ହେବ ସେଥିପାଇଁ ଚୁକ୍ତି ଅନୁଯାୟୀ ଶିଶୁମନ୍ଦିର ସ୍ଥାନ୍ତରିତ କରାଯିବ।