ନୂଆଦିଲ୍ଲୀ,୩।୧୨- ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ଦିନିକିଆ ଫର୍ମାଟର ନମ୍ବର ଓ୍ବାନ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ)ଠାରେ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନିକାନ୍ତ ଶିଭାଗନାନମଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ କରୁଛନ୍ତି। ସେ ଗତ ସେପ୍ଟେମ୍ବରରେ ଆହତ ହୋଇଥିଲେ। ଏହି କାରଣରୁ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ରେ ଖେଳି ନ ଥିଲେ। ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ମଧ୍ୟ ସେ ଖେଳିପାରିବେ ନାହିଁ। ୨୫ ବର୍ଷୀୟ ପେସର ଆଗାମୀ ବର୍ଷ ଜାନୁୟାରୀ ୨୪ ତାରିଖଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତରେ ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଛି। ସେଠାରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦, ୩ ଦିନିକିଆ ଓ ଦୁଇ ଟେଷ୍ଟ ସିରିଜ୍ ଖେଳିବ। ତେବେ ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନର ରଜନିକାନ୍ତଙ୍କ ସହ ବୁମରା ବ୍ୟକ୍ତିଗତ ଭାବେ ଟ୍ରେନିଂ କରୁଛନ୍ତି। ଆଇପିଏଲ ସିଜନ ଶେଷ ହେଲା ପରେ ରଜନିକାନ୍ତ ସମସ୍ତଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି। ତାଙ୍କୁ ଦିଲ୍ଲୀ ଦଳର ପ୍ରାଥମିକ ପରାମର୍ଶ ଦାତା ରଖାଯାଇଛି। ଏହା ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ଟ୍ରେନିଂ ସେସନ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ସୂତ୍ରରୁ କୁହାଯାଇଛି।