ନୂଆଦିଲ୍ଲୀ, ୭ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟର ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଦୀନେଶ ବଲିଉଡ ସୁପର ଷ୍ଟାର ଶାହରୁଖ ଖାଁଙ୍କ ମାଲିକାନାରେ କ୍ୟାରିବିୟନ ସୁପର ଲିଗ୍ (ସିପିଏଲ୍) ଫ୍ରାଞ୍ଚାଇଜ୍ ତ୍ରିନିଦାଦ୍ ନାଇଟ ରାଇଡର୍ସର ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେଇଥିବାରୁ ତାଙ୍କୁ ଏହି ପରିସ୍ଥିତିର ସାମ୍ନା ହେବାକୁ ପଡ଼ିଛି। ୩୪ ବର୍ଷୀୟ କାର୍ତ୍ତିକଙ୍କୁ ଭାରତର ବିଶ୍ୱକପ୍ ଦଳରେ ସ୍ଥାନ ମିଳିବା ବିବାଦୀୟ ଥିଲା। ତାଙ୍କୁ ତ୍ରିନ୍ବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମ୍ରେ ଦେଖିବାକୁ ମିଳିଥିଲା। ଏହି ଦଳ ପୋର୍ଟ ଅଫ୍ ସ୍ପେନ୍ଠାରେ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ବିପକ୍ଷ ସିପିଏଲ ମ୍ୟାଚ ଖେଳୁଥିଲା। କାର୍ତ୍ତିକ ଭାରତ ତରଫରୁ ୨୬ ଟେଷ୍ଟ, ୯୪ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୨ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ତ୍ରିନବାଗୋ ନାଇଟ୍ ରାଇଡର୍ସ ଜର୍ସି ପରିଧାନ କରିବା ସହ ବ୍ରେଣ୍ଡନ ମ୍ୟାକ୍କୁଲମଙ୍କ ସହିତ ହାଲ୍କା ମୁହୂର୍ତ୍ତରେ ଥିଲେ। କାର୍ତ୍ତିକ ଶାହରୁଖ ଖାଁଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ ରାଇଡର୍ସର ଅଧିନାୟକ। ବିସିସିଆଇର ବିନା ଅନୁମତିରେ ସେ ଓ୍ବେଷ୍ଟଇଣ୍ଡିଜରେ ଏକ ଇଭେଣ୍ଟରେ ଭାଗ ନେଇଛନ୍ତି। ଏହା ଦ୍ୱାରା ସେ ବୋର୍ଡ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମ ଉଲ୍ଲଂଘନ କରିଛନ୍ତି।