ଦେବତାର ଆସନରେ ମଣିଷର ଅଭିଷେକ

ଡ. ହୃଷୀକେଶ ମଲ୍ଲିକ

କବି କାଳିନ୍ଦୀଚରଣ ପାଣିଗ୍ରାହୀ ନିଜ କବିତାରେ ବ୍ୟକ୍ତିମନ ଓ ବିଶ୍ୱମନର ପରିପ୍ରକାଶ କରିଛନ୍ତି। ତାଙ୍କ କବିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ଗୋଟିଏ ପର୍ଯ୍ୟାୟ ସ୍ବପ୍ନର ବନ୍ଦନା କରେ ଓ ଅନ୍ୟ ପର୍ଯ୍ୟାୟଟି ଜଗତର ବାସ୍ତବତାକୁ ରୂପଦିଏ। ପ୍ରଥମ ପର୍ଯ୍ୟାୟର କବିତାରେ କବି ଇଂରେଜ ରୋମାଣ୍ଟିକ କବି ଓ ବଙ୍ଗଳାର ରବୀନ୍ଦ୍ରୀୟ କବିିତାକୁ ଅନୁସରଣ କରିଛନ୍ତି। ଏଥିରେ ସୌନ୍ଦର୍ଯ୍ୟ ଓ ପ୍ରକୃତି ପ୍ରମୁଖ ହୋଇଉଠିଛି। ୧୯୩୫ ବେଳକୁ କାଳିନ୍ଦୀଙ୍କ କାବ୍ୟ ଚେତନାରେ ବିପୁଳ ପରିବର୍ତ୍ତନ ଆସିଛି। ନିଜର ସାନ ଭାଇ ଭଗବତୀ ଚରଣ ପାଣିଗ୍ରାହୀ କମ୍ୟୁନିଷ୍ଟ ଚେତନାରେ ଦୀକ୍ଷିତ ହେବା ପରେ କାଳିନ୍ଦୀଙ୍କ କବିମନ ସ୍ବତଃସ୍ଫୂର୍ତ୍ତ ଭାବେ ସମକାଳୀନ ସମାଜ ଜୀବନ ପ୍ରତି ଢଳିଯାଇଛି ଓ ସେ ଦେବତାର ବନ୍ଦନା ନ କରି ମଣିଷର ବନ୍ଦନାରେ ନିଜ ଲେଖନୀକୁ ସମର୍ପିତ କରିଛନ୍ତି।
କାଳିନ୍ଦୀ ଚରଣଙ୍କ କବିତାର ସୁମାରି କରିବସିଲେ ସେ ଶତାଧିକ କବିତା ରଚନା କରିଥିବା ଦେଖିବାକୁ ମିିଳେ। ତାଙ୍କର କବିତାଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ମନେନାହିଁ’, ‘ମହାଦୀପ’, ‘କ୍ଷଣିକ ସତ୍ୟ’, ‘ଛୁରୀଟିଏ ଲୋଡ଼ା’ ଓ ‘ମୋ କବିତା’ ଆଦି ପ୍ରମୁଖ। କବି ନିଜର କବିତାରେ ପ୍ରତି ପଦେପଦେ ଯୁଗଧର୍ମପ୍ରତି ବିଶ୍ୱସ୍ତ ହୋଇଚାଲିଛନ୍ତି। ପ୍ରଥମ ପର୍ଯ୍ୟାୟର କବିତାରେ ପୌଷ ସନ୍ଧ୍ୟା, ସନ୍ଧ୍ୟାପଥେ, ଶରତ ସନ୍ଧ୍ୟା, ଆଷାଢ଼ ସନ୍ଧ୍ୟା, ପ୍ରଭାତ ଓ ପ୍ରଭାତ ରାସ ଯେପରି ଗୁରୁତ୍ୱପୂର୍ଣ୍ଣ, ଦ୍ୱିତୀୟ ପର୍ଯ୍ୟାୟରେ ଲୋହିତ ବ୍ୟଥା ଓ ପରୀ ଆଦି କବିତା ସେହିିଭଳି ଗୁରୁତ୍ୱପୂର୍ଣ୍ଣ। କବିଙ୍କ ମତରେ ଈଶ୍ୱର ମଣିଷର ହାତଗଢ଼ା, ତେଣୁ ମଣିଷର ଭାଗ୍ୟକୁ ବିଦ୍ରୂପ କରିବାର ଅଧିକାର ଈଶ୍ୱରଙ୍କର ନାହିଁ। ସେ ତାଙ୍କର ଏକ କବିତାରେ ଲେଖିଛନ୍ତି ‘ରକତ ମାଂସର ଯେତେ ହସ୍ତ/ ନିର୍ମିଲା ଏ ପ୍ରସ୍ତର ସମସ୍ତ/ ତାହାରିି ସକାଶେ/ଏ ପାଷାଣ ପାଶେ/ ନମସ୍କାର/ ବାରମ୍ବାର।’ ସେ ଡାକିହାକି କହିଛନ୍ତି ‘ଯେ ବାଣୀ ଛୁଇଁନି ଗୋଟିଏ ଜାତିର କୋଟିଏ ବୁକେ/ ସେ ବାଣୀ ମୋହର ନ ହଉ ଗୋଚର ନ ଆସୁ ମୁଖେ (ବାଣୀ)।’
ପ୍ରତି ପଦପାତର କାଳିନ୍ଦୀଚରଣ ନୂଆ କବିତାର କବି। ସେ ଯେପରି ଆବେଗପୂର୍ଣ୍ଣ ଭାଷାରେ ଧରାର ବନ୍ଦନା କରିପାରନ୍ତି, ଧରାରୁ ଈଶ୍ୱରଙ୍କୁ ବିଦାୟ ଦେବାରେ ସେହିପରି ଉତ୍ସୁକ ମଧ୍ୟ ଥାଆନ୍ତି। ପ୍ରେମକୁ ସେ ଦେହର ବାସନା ବୋଲି ମନେକରନ୍ତି ଏବଂ କହନ୍ତି ଆତ୍ମାଫାତ୍ମା ବାଜେ କଥା। ତେଣୁ ତାଙ୍କ ଦୃଷ୍ଟିିରେ ଦେହ ହିଁ ସତ୍ୟ, ଦେବତାର ଧାରଣା ମିଥ୍ୟା। ମଣିିଷ ହିଁ ସବୁକିଛି। ସେ ଏପରି ସମାଜ ପ୍ରତିଷ୍ଠା କରିବାକୁ ଚାହାନ୍ତି, ଯହିଁରେ ସମସ୍ତଙ୍କ ପାଇଁ ବଖୁରାଏ ଘର ଥିବ, ଧନିକ ଦିନରେ ଡକାୟତି କରୁ ନ ଥିବ। ଗରିବ ଭୟରେ ଦିନ କାଟୁ ନ ଥିବ (ଆଗାମୀ)। କବିଙ୍କ ଭାଷାରେ ‘ଜନମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ/ ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ’। କବି ବୁର୍ଜୁୟାଙ୍କୁ ଗାଳି ଦେଇଛନ୍ତି ନିଜକୁ ଧିକ୍କାର କରି। ଆତ୍ମଧିକ୍କାର ଯେ, ଶକ୍ତିଶାଳୀ ପ୍ରତିବାଦର ଭାଷା ହୋଇପାରେ, କାଳିନ୍ଦୀଙ୍କ କବିତା ନ ପଢ଼ିଲେ ଜାଣିହୁଏ ନାହିଁ। ସୁତରାଂ କାଳିନ୍ଦୀ ହେଉଛନ୍ତି ଓଡ଼ିଆ କବିତାରେ ଭାଷାର ତଥାକଥିତ ଆଭିଜାତ୍ୟକୁ ଭାଙ୍ଗି ଦେବାର ସବୁଠୁ ସ୍ପର୍ଦ୍ଧିତ କବି, ଯେଉଁ କବିଙ୍କୁ ଓଡ଼ିଆ ସାହିତ୍ୟ ଅନେକ ଦିନରୁ ଅପେକ୍ଷା କରି ରହିଥିଲା।
୧୯୬୬ରେ ପ୍ରକାଶିତ ବିଶିଷ୍ଟ ବଙ୍ଗୀୟ ସମାଲୋଚକ ସୁଧାକର ଚଟ୍ଟୋପାଧ୍ୟାୟ ତାଙ୍କର ‘ରବୀନ୍ଦ୍ରନାଥ ଓ ଭାରତୀୟ ସାହିତ୍ୟ’ରେ କାଳିନ୍ଦୀଚରଣଙ୍କ କବିତା ସମ୍ପର୍କରେ ମତ ଦେବାକୁ ଯାଇ କହିଛନ୍ତି: ”ଆଧୁନିକ ଓଡ଼ିଶାର ଲବ୍ଧପ୍ରତିଷ୍ଠ କଥା ସାହିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏକ କାଳେ କବିତା ରଚନା କରେଛିଲେନ୍‌ ଏବଂ କୋନଓ କୋନଓ ସମାଲୋଚକ ସେ-ସକଲ କବିତାର ବିଶେଷ କାବ୍ୟମୂଲ୍ୟ ସ୍ବୀକାର ନା କରଲେଓ ଆମାଦେର କାଛେ କୟେକଟି କବିତା ନାନା କାରଣେ ଉଲ୍ଲେଖଯୋଗ୍ୟ ବଲେ ମନେ ହଛେ।“ (ପୃ: ୬୮)। ଏହାର କାରଣ ସ୍ବରୂପ ସେ କହିଥିଲେ, ପ୍ରଥମତଃ କାଳିନ୍ଦୀଙ୍କ କବିତା ନିଚ୍ଛକ ପଦ୍ୟ ନୁହେଁ, କବିତା। ଦ୍ୱିତୀୟତଃ ସବୁଜ ସାହିତି୍ୟକଙ୍କ ପ୍ରସଙ୍ଗରେ ସବୁଜ କବିତାର ସମ୍ପାଦକ କାଳିନ୍ଦୀଚରଣଙ୍କ ଆଲୋଚନାକୁ କଦାପି ବାଦ୍‌ ଦେଇହେବ ନାହିଁ। ତୃତୀୟତଃ ରବୀନ୍ଦ୍ରନାଥଙ୍କ ଭାବ-ଭାଷା ଓ ଛନ୍ଦର ଧାରାନୁସରଣର ପ୍ରୋଜ୍ଜ୍ୱଳ ଉଦାହରଣ ଥିଲେ କାଳିନ୍ଦୀ। ଏଇ ମତ ସହ କେବଳ ଗୋଟିଏ ଧାଡ଼ି ଯୋଗ କରିବାକୁ ଏଇ ଲେଖକ ଅପରିହାର୍ଯ୍ୟ ମଣେ ଯେ, କାଳିନ୍ଦୀଚରଣ କେବଳ ରବୀନ୍ଦ୍ର କାବ୍ୟଧାରାର ଉଜ୍ଜ୍ୱଳତମ ଅନୁଗାମୀ ନ ଥିଲେ, ଥିଲେ ଅବିଶ୍ୱସନୀୟ ଭାବେ ଅତିକ୍ରମୀ ବି।
ରବୀନ୍ଦ୍ରନାଥ ଲେଖିଛନ୍ତି: ”ଥାକୋ, ସ୍ବର୍ଗ, ହାସ୍ୟମୁଖେ କରୋ ସୁଧାପାନ,/ଦେବଗଣ! ସ୍ବର୍ଗ ତୋମାଦେରି ସୁଖସ୍ଥାନ,/ମୋରା ପରବାସୀ। ମର୍ତ୍ତ୍ୟଭୂମି ସ୍ବର୍ଗ ନହେ,/ସେ ଯେ ମାତୃଭୂମି…“ ସ୍ବର୍ଗାଦପୀ ଗରୀୟସୀ।
କାଳିନ୍ଦୀଚରଣଙ୍କ କବିତାର ନିରପେକ୍ଷ ଅଧ୍ୟୟନରୁ ମନେହୁଏ ଯେ, କବିଙ୍କର କବିତା ବଙ୍ଗଳା କବିତାର ପ୍ରଭାବକୁ ଆତ୍ମସାତ୍‌ କରି ଓଡ଼ିଆ ଭାଷାର ଗରିମା ପ୍ରତିଷ୍ଠାରେ ନିଜକୁ ଯଥେଷ୍ଟ ସକ୍ଷମ ପ୍ରତିପାଦିତ କରିଛି। ଏପରି କି ପାଠ୍ୟପୁସ୍ତକ ରଚନାକାଳରେ କାଳିନ୍ଦୀ ଯେଉଁ କବିତା ସବୁ ଲେଖିଯାଇଛନ୍ତି, ଓଡ଼ିଆ ସାହିତ୍ୟର ଉଦୟରାଗ ସେଥିରେ ଏପରି ପ୍ରତିଭାତ ଯେ ବୟସ୍କମାନଙ୍କ ସ୍ମୃତିରୁ ବି ସେସବୁ ବିସ୍ମୃତ ହୋଇନାହିଁ। ଦୁଇଟି ଉଦାହରଣ ଏଠାରେ କଦାପି ଅପ୍ରାସଙ୍ଗିକ ମନେହେବ ନାହିଁ।
୧: ”ମନେଅଛି ମୋର ଗ୍ରାମ ଚାଟଶାଳୀ
ଚିହ୍ନିଥିଲି ଯହିଁ ଅକ୍ଷର ଆଗେ,
ସରୁଦାଣ୍ଡ କଡ଼େ ଚାଳଘର ଖଣ୍ଡି
ଯାଇଥିଲି ଦିନେ ବାପାଙ୍କ ସଙ୍ଗେ।“
୨: ”ଦୂର ଗାଅଁା କୋଳେ ବୁଡ଼ୁଥିଲା ମୋର ଗୋଧୂଳି-ବେଳ
ଶିଶୁସାଥୀ ମେଳେ ବସୁଥିଲା କେତେ ସୁଖର ହାଟ।
କେତେ ପ୍ରିୟ ସ୍ମୃତି ଅନୁଭୂତିମୟ ଅତୀତ କାଳ
ତୋତେ ଚାହିଁ ଆଜି ପାସୋରିଦେଲିରେ ଶିମୁଳିପାଳ।“
ଓଡ଼ିଆ କବିତାରେ ସରଳତା ଓ ସୌକୁମାର୍ଯ୍ୟର ପ୍ରତିଷ୍ଠା ଦିଗରେ କାଳିନ୍ଦୀଚରଣ କବିତା ରଚନାରେ ହାତ ଦେଲାଦିନୁଁ ଯେପରି ପ୍ରଚେଷ୍ଟା କରିଆସିଛନ୍ତି, ତାହା ସମକ୍ଷରେ ତାଙ୍କ ସାହିତ୍ୟର ସବୁଜକାଳକୁ ନେଇ ବଙ୍ଗୀୟ ପ୍ରଭାବର ଯେଉଁ ମୋହର ମରାଯାଏ, ତାହା ଗ୍ରହଣୀୟ ନୁହେଁ। ପଡ଼ୋଶୀ ଭାଷାକୁ ନୂ୍ୟନ ପ୍ରତିପାଦିତ କରିବା ବଙ୍ଗୀୟ ସମାଲୋଚକମାନଙ୍କର ଏକ ଯୋଜନାବଦ୍ଧ ଅଭ୍ୟାସ, ଯହିଁରୁ ସେମାନେ ସହଜରେ ମୁକୁଳିପାରନ୍ତି ନାହିଁ। କେବଳ ଓଡ଼ିଆ କବିତା ନୁହେଁ, ଅହମିୟା କବିତା ସମ୍ପର୍କରେ ବଙ୍ଗୀୟ ଧାରଣା ମଧ୍ୟ ନିଷ୍ପକ୍ଷ ନୁହେଁ।
ଆକାଶରେ କାନପାତି ରବୀନ୍ଦ୍ର ‘ତୋମାରି ଗାନ’ ଶୁଣିଥିବା ବେଳେ ସୂର୍ଯ୍ୟକୁମାର ଶୁଣିଛନ୍ତି ‘ଅଶୁଣା ଗାନ’। ପ୍ରଭାବରେ ଥାଇ ବି ଅନେକ ସ୍ଥଳେ ଓଡ଼ିଆ ଓ ଅହମିୟା କବିତା ପ୍ରଭାବକୁ ଅତିକ୍ରମି ଯାଇଛନ୍ତି, ଯାହା ଅବାଞ୍ଛିତ ଭାବେ ଉପରମୁହଁା କୌଣସି ଭାଷାର ସ୍ବୀକୃତିକୁ ଅପେକ୍ଷା ରଖେନାହିଁ। ‘ନିରୁଦ୍ଦେଶ’ ଓ ‘ସୁଦୂର’ ପ୍ରତି ଆକର୍ଷଣ ସବୁଜ କବିତାର ଅନ୍ୟତମ ବୈଶିଷ୍ଟ୍ୟ ହେଲେ ବି କାଳିନ୍ଦୀଚରଣଙ୍କ କବିତା ଅନ୍ୟ ଭାଷାର ଚାପରେ ପେଷିହୋଇ କଦାପି ସ୍ବଭାଷାର ଗରିମାକୁ ଭୂଲୁଣ୍ଠିତ କରିନାହିଁ। ତାଙ୍କ କବିତାରେ ଯେପରି ଆମେ ଦେଖୁ ପୁଷ୍ପରେଣୁ ଉଡ଼ିବାର କୁହୁକ, ସେହିପରି ଭେଟୁ ଦୀନନିପିଡ଼ିତର ସଙ୍କଟରେ ବିଦ୍ରୋହର ସ୍ଫୁଲିଙ୍ଗକୁ ଉଜାଗର କରି ରଖିବାର ପ୍ରତିବଦ୍ଧତା। ସେ କାରୁଣ୍ୟର କବି, ଯେଉଁ କରୁଣ୍ୟ ବିନା ବିବେଚନାରେ ଗଡ଼ି ଆସିଥିବା ତଥାକଥିତ ପରମ୍ପରାକୁ ସ୍ବୀକାର କରେ ନାହିଁ। କାଳିନ୍ଦୀଚରଣ ନିରୁଦ୍ଦେଶର କବି। ସମ୍ମୁଖରେ ତାଙ୍କର ଅସ୍ତଗାମୀ ସୂର୍ଯ୍ୟର ଅନ୍ଧାର:
”ଅସ୍ତଗାମୀ ରବିସମ ନିବିଡ଼ ଏ ଅନ୍ଧାର ମୁଖରେ,
ଚାଲିଛି ମୁଁ ଗୋଧୂଳିର ଶୀର୍ଣ୍ଣକ୍ଳାନ୍ତ କ୍ଷୀଣ ମୟୂଖରେ।
ଶୀକର ପବନ ମୋର ଲାଗେ ଗଣ୍ଡେ ଲାଗେ ଭାଲ ଦେଶେ
ଚାଲିଛି ମୁଁ ଆଜି ନିରୁଦ୍ଦେଶେ।“ (ସନ୍ଧ୍ୟାଲୋକେ)
କାଳିନ୍ଦୀ ମାଟିର କବି, ମାତୃଭାଷାର କବି। ପ୍ରୟେଜନବୋଧକୁ ଚାହଁି ଓଡ଼ିଆ କବିତାରେ ଭାଷାର ଯେଉଁ ଅଭିନବ ବ୍ୟବହାର ସେ କରିଛନ୍ତି ତାହାର ପଟାନ୍ତର ଭାରତୀୟ ସାହିତ୍ୟରେ ବିରଳ।
ମୋ:୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri