ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍ ବୋଲି କୁହାଯାଉଛି। ଏଠାରେ ଥିବା ଗଛରେ ଏକ କ୍ୟୁଆର୍ କୋଡ ଲଗାଇ ଦିଆଯିବ। ଯାହାକୁ ସ୍କାନ କଲେ ଗଛ ସମ୍ପର୍କରେ ସମସ୍ତ ତଥ୍ୟ ମିଳିଯିବ। କେରଳର ରାଜଭବନରେ ଥିବା ବଗିଚାରେ ଏହା ବ୍ୟବହାର କରାଯିବ। କନକକୁଞ୍ଜ ନାମରେ ପରିଚିତ ଏହି ବଗିଚା ପାଖାପାଖି ୧୨ ଏକର ପରିମିତ ଜାଗାରେ ଅବସ୍ଥିତ। ଏଠାରେ ପାଖାପାଖି ୧୨୬ ପ୍ରକାର ପ୍ରଜାତିର ଗଛ ଥିବା ବେଳେ ଏହାକୁ ଏବେ ଡିଜିଟାଲାଇଜ୍ କରାଯାଉଛି। ଅର୍ଥାତ୍ ଡିଜିଟାଲ ତଥ୍ୟ ମାଧ୍ୟମରେ ଗଛ ସମ୍ପର୍କରେ ସମସ୍ତ ସୂଚନା ମିଳିପାରିବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ଥିବା ହଜାର ହଜାର ଗଛ ମଧ୍ୟରୁ ୬ଶହରେ ଏହି ଡିଜିଟାଲ କୋଡ ଲଗାଯିବ। ଏହି କାମ ପାଇଁ କେରଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ସହାୟତା ନିଆଯାଇଥିବା ସୂଚନା ରହିଛି।