ନୂଆଦିଲ୍ଲୀ,୨୦।୬: କରୋନା ସଂକ୍ରମଣ ଏବେ ସରକାର ତଥା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଦେଶରେ ହୁ ହୁ ହୋଇ ବଢି ଚାଲିଥିବା ଏହି ମହାମାରୀ କେବେ କମିବ ତାକୁ ସମସ୍ତଙ୍କର ଅପେକ୍ଷା। ଏପଟେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୪,୫୧୬ ପଜିଟିଭ ଚିହ୍ନଟ ହେବା ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୯୫,୦୪୮ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶରେ ୧,୬୮,୨୬୯ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୨,୧୩,୮୩୧ ଜଣ ସୁସ୍ଥ ହେଲେଣି ଓ ୧୨,୯୪୮ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଖରାପ ଥିବା ବେଳେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୨୪,୩୩୧। ଏମାନଙ୍କ ମଧ୍ୟରୁ ୫୫,୬୬୫ ଜଣଙ୍କ ଚିକିତ୍ସା ଚାଲୁଥିବା ବେଳେ ୬୨,୭୭୩ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି ଓ ସେଠାରେ କରୋନା ମୃତ୍ୟୁସଂଖ୍ୟା ୫,୮୯୩ ଛୁଇଁ ସାରିଲାଣି।