ଅନୁଗୋଳ ଅଫିସ୍, ୩୦।୧: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲା ପୋଲିସ ମୁଖ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀଙ୍କ ସହ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଡିଜିପିଙ୍କ ସହ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାଧାକ୍ରିଷ୍ଣ ଶର୍ମା (ସ୍ବତନ୍ତ୍ର ଗୋଇନ୍ଦା ନିର୍ଦ୍ଦେଶକ), ଆଇଜି ରେଖା ଲୋହାନୀ (ଆଇଜି ଆଧୁନିକୀକରଣ) ଯୋଗଦେଇଥିଲେ। ବୈଠକରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଅନୁଗୋଳ ଏସ୍ପି ଜଗମୋହନ ମୀନା, ଢେଙ୍କାନାଳ ଏସ୍ପି ଅନୁପମା ଜେମ୍ସ, ଦେବଗଡ଼ ଏସ୍ପି ରାହୁଲ ଜେନ୍ଙ୍କ ସହ ତିନୋଟି ଜିଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡିଜିପି ଦୋଷୀ କିପରି କୋର୍ଟରେ ଦଣ୍ଡ ପାଇବେ ସେ ନେଇ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅପରାଧର ଠିକ୍ ତଦନ୍ତ ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ ଦିଗରେ ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ମାର୍ଗଦର୍ଶକ ହୋଇ ତଦନ୍ତରେ ସହଯୋଗ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ‘ମୋ ସରକାର’ ଯୋଜନା ପରେ ପୋଲିସ କର୍ମଚାରୀଙ୍କ ବ୍ୟବହାରରେ ସୁଧାର ଆସିଛି। ଲୋକଙ୍କ ସହ ସିଧାସଳଖ କଥା ହେବା ବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ ଅନୁଗୋଳରେ ଦୋଷୀ ସାବ୍ୟସ୍ତ ହାର ନୈରାଶ୍ୟଜନକ ରହିଥିବାରୁ ମହାନିର୍ଦ୍ଦେଶକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଡିଜିଟାଲ ଫରେନ୍ସିକ୍ର ବ୍ୟବହାର ସହ ସଫଳ ତଦନ୍ତ କରି ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳରେ ବ୍ରାଉନ ସୁଗାର୍, ଗଞ୍ଜେଇ ଚାଷ ଓ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି। ଠକେଇ ଓ ସାଇବର୍ ଅପରାଧ ମଧ୍ୟ ବଢ଼ୁଛି। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ ଓ ଢେଙ୍କାନାଳରେ କୋଇଲା, ମୁଗୁନି ପଥର ଚୋରା କାରବାର ରୋକିବାକୁ ଅତର୍କିତ ଚଢ଼ାଉ ପାଇଁ ଦୁଇ ଜିଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦେବଗଡ଼ ଓ ଅନୁଗୋଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସିଛି। ତଥାପି ଏହା ଉପରେ ତୀକ୍ଷ୍ମ ନଜର ରଖିବାକୁ ଡିଜିପି କହିଥିଲେ। ପରେ ଡିଜିପି ଅନୁଗୋଳ ଟ୍ରେନିଂ କଲେଜ ପରିଦର୍ଶନରେ ଯାଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଫିସର ଓ କନଷ୍ଟେବଳମାନଙ୍କୁ କିପରି ଉନ୍ନତ ପ୍ରଶିକ୍ଷଣ ମିଳିପାରିବ ସେ ନେଇ ଅଧିକ ଗୁରୁତ୍ୱ ଦେବାକୁ ଡିଜିପି କଲେଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।