ପାଟପୁର,୧୬ା୪-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପକ୍ଷରୁ ୧୩୦ ସ୍କୁଲ କଲେଜରେ କ୍ବାରାଣ୍ଟାଇନ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ସେଠାରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କୁ ନିଜ ଗଁ। ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଗ୍ରାମବାସୀ ବାଉଁଶ ବାନ୍ଧିଥିଲେ। ଗଞ୍ଜାମ ପୋଲିସ ପକ୍ଷରୁ ଦ୍ରୁତଗତି ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟାରିକେଡ୍ ଆଣି ଲୋକେ ବିଦ୍ୟାଳୟ ରାସ୍ତାରେ ରଖିଛନ୍ତି। ଆଗାମୀ ଦିନରେ ସିଙ୍ଗିପୁରରେ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନେଇ ପୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଗ୍ରାମବାସୀ ସୁରଟ ଫେରନ୍ତାକୁ ଧରି ଆସିଥିବା ଏକ ବସ୍କୁ ଫେରାଇ ଦେଇଥିଲେ। ଫଳରେ ଏହି ପଞ୍ଚାୟତକୁ ଆସିଥିବା ଲୋକଙ୍କୁ ଅନ୍ୟ କ୍ବାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏହି ଖବର ମଙ୍ଗଳବାର ଧରିତ୍ରୀରେ ପ୍ରକାଶିତ ହେବା ପରେ ଗୁରୁବାର ସନ୍ଧ୍ୟାରେ ଗ୍ରାମବାସୀ ସ୍କୁଲ ରାସ୍ତାରୁ ବାଉଁଶ ଓ ବ୍ୟାରିକେଡ୍ ହଟାଇ ଦେଇଛନ୍ତି।